Tue. Jan 28th, 2025

ମହାରାଷ୍ଟ୍ରରେ ପ୍ରବଳ ବର୍ଷାରେ ଜନଜୀବନ ପ୍ରଭାବିତ, ଦକ୍ଷିଣ ଭାରତରେ ୩୨ ଜଣଙ୍କ ମୃତ୍ୟୁ

By amfnews Oct 15, 2020 #Featured
137 Views

ମୁମ୍ବାଇ, ଅକ୍ଟୋବର ୧୫ (ଖବର ଓଡ଼ିଶା): ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଗୁଡ଼ିଏ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ମୁମ୍ବାଇର ହିନ୍ଦମାତା, ପରେଲ, ଭାୟଖଲା ରୋଡ଼ ସମେତ ଆହୁରି ଅନେକ ସ୍ଥାନରେ ପାଣି ଭର୍ତ୍ତି ହୋଇଛି । ମୁମ୍ବାଇ, ଥାନେ, ପାଳଘରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ସିନ୍ଧୁଦୁର୍ଗ, ରତ୍ନଗିରି ଅଂଚଳକୁ ମଧ୍ୟ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । 

ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତା ବଢ଼ାଇଛି । କୋଲାବରେ ଏପର୍ଯ୍ୟନ୍ତ ୮୫ ମିଲିମିଟର, ସାନ୍ତାକ୍ରୁଜରେ ୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପାଖାପାଖି ୧୨ ଘଣ୍ଟାର ବର୍ଷା ପରେ ପୁଣେର ଇନ୍ଦାପୁର, ନିମଗାଓ, କେତକୀ ଓ ବିଧୱନରେ ପାଣି ଭର୍ତ୍ତି ହୋଇଛି । ପୁଣେର ପ୍ରସିଦ୍ଧ ନରସିଂହପୁର ମନ୍ଦିରରେ ବନ୍ୟାସ୍ଥିତି ଉପୁଜିଛି । ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଜାରି କରିଛି । 

ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବର୍ଷା ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଅନେକ ଲୋକ ନିଖୋଜ ଥିବା ବେଳେ ହାଇଦ୍ରାବାଦରୁ କର୍ଣ୍ଣାଟକକୁ ସଡ଼କପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 

ଦକ୍ଷିଣ ଭାରତରେ ବର୍ଷା ସ୍ଥିତି ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କଥା ହୋଇଛନ୍ତି । ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ କରି କହିଛନ୍ତି, ଗୃହମନ୍ତ୍ରାଳୟ ବନ୍ୟା ପ୍ରଭାବିତ ଅଂଚଳ ଉପର ନଜର ରଖିଛି । ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ । 

By amfnews

Related Post