Sun. Mar 8th, 2026

ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର? ଦିଲ୍ଲୀ ଦରବାରରେ ନିଷ୍ପତ୍ତି

174 Views

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର କେମିତି ହେବ? ଆଜି ସମାଧାନାର ସୂତ୍ର ବାହାରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଆଜି ଦିଲ୍ଲୀରେ ବିଜେପି ସଭାପତି ଅମିତ ଶାହଙ୍କୁ ଭେଟିବେ। ଏହି ସମୟରେ ରାଜ୍ୟରେ ନିର୍ବାଚନ ପରେ ପରିବର୍ତ୍ତିତ ରାଜନୀତିକ ସମୀକରଣ ଏବଂ ସହଯୋଗୀ ଶିବସେନାର ଦାବି ବାବଦରେ ଆଲୋଚନା ହେବ। ସେହିଭଳି ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଶିବସେନା ନେତୃତ୍ୱ ସରକାରକୁ ଏନସିପି-କଂଗ୍ରେସ ସମର୍ଥନ କରିବ କି ନାହଁ ସେ ବାବଦରେ ଆଲୋଚନା ହେବ। ଅନ୍ୟପଟେ ଗତ ସପ୍ତାହରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସୋନିଆଙ୍କ ସହ ଫୋନରେ ମେଣ୍ଟ ବାବଦରେ ଆଲୋଚନା କରିଥିବା ସୂଚନା ରହିଛି।

ସେହିଭଳି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିବେ ଶିବସେନା ନେତା ସଞ୍ଜୟ ରାଉତ। ନିର୍ବାଚନ ଫଳାଫଳ ପରେ ତୃତୀୟ ଥର ପାଇଁ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଛି ଶିବସେନା। ଏହି ସାକ୍ଷାତକାର ସମୟରେ ରାଜ୍ୟର ସର୍ବାଧିକ ଜନାଦେଶ ପାଇଥିବା ଦଳ ବିଜେପିକୁ ସରକାର ଗଢ଼ିବା ପାଇଁ ପ୍ରଥମେ ଆମନ୍ତ୍ରଣ କରିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବ ଶିବସେନା। ଯଦି ବିଜେପି ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବ ତାହାଲେ ଶିବସେନା ସରକାର ଗଢ଼ିବା ପାଇଁ ଦାବି କରିବ ବୋଲି କହିଛି।

ଏହା ପୂର୍ବରୁ ଗତକାଲି ଶିବସେନାର ଖବରକାଗଜ ‘ସାମ୍ନା’ରେ ଦଳ କହିଛି, ଶିବସେନା ସରକାର ଗଢ଼ିବା ପାଇଁ ପ୍ରସ୍ତୁତ। ଦଳ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି।

ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ବିଜେପି ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ୱର ୧୪୫ ରହିଛି। କଂଗ୍ରେସ ଓ ଏନସିପି ମିଶି ୯୮ ଆସନ ଜିତିଛନ୍ତି। ତେଣୁ ଶିବସେନାକୁ ଏହି ଏନସିପି-କଂଗ୍ରେସ ମେଣ୍ଟ ସମର୍ଥନ କରିବ ତାହାଲେ ଶିବସେନା ସରକାର ଗଢ଼ିପାରିବ। ଏଥିସହ ୨୯ ଅନ୍ୟାନ୍ୟ ବିଧାୟକରୁ କିଛି ଶିବସେନାକୁ ପୂର୍ବରୁ ସମର୍ଥନ ଦେଇସାରିଛନ୍ତି।

By amfnews

Related Post