Sat. Mar 7th, 2026

ମହାରଥୀଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ମହାଭାରତ, କ୍ଷମା ମାଗିବାକୁ ମନାକଲେ ମନ୍ତ୍ରୀ

288 Views

ଭୁବନେଶ୍ୱର : ଅମାନିଆ ତୁଣ୍ଡକୁ ନେଇ ପୁଣି ଅଡୁଆରେ ପଡ଼ିଯାଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। ବିଜେପି ବିଧାୟିକାଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡ଼ିଥିବା ମହାରଥୀ ଏଥର ପିପିଲି ଅଞ୍ଚଳର ମହିଳାଙ୍କ  ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଆଉ ଏହାକୁ ନେଇ ଆରମ୍ଭ ହୋଇଯାଇଛି ମହାଭାରତ।

ତେବେ ଏଥିରେ ମହାରଥୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛି ବିଜେପି। ମନ୍ତ୍ରୀଙ୍କ ଘରେ ଧଶେଇ ପଶିବାକୁ ଉଦ୍ୟମ କରିଛନ୍ତି ଦଳୀୟ କର୍ମୀ। ପିପିଲି ଥାନାରେ ବି ମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛି ମହିଳା ମୋର୍ଚ୍ଚା। ତେବେ ସେ କୌଣସି ଭୁଲ୍ କଥା କହି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି ମହାରଥୀ।

ବିଜେପିର ଅଭିଯୋଗ ମହାରଥୀଙ୍କ ଘରେ ବୋଧେ ସବୁ ଠିକ୍ ନାହିଁ ଓ ଏଥିରେ ଅତିଷ୍ଠ ହୋଇ ମନ୍ତ୍ରୀ ମହିଳାଙ୍କ ବିରୁଦ୍ଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏ ବିଷୟରେ ମହାରଥୀଙ୍କ ଅଧ୍ୟାପିକା ପତ୍ନୀଙ୍କ ମତାମତ ନେବା ଓ ମହିଳାଙ୍କ ସମ୍ମାନ ରକ୍ଷା ଲାଗି ଆଗେଇ ଆସିବାକୁ ଆହ୍ୱାନ ଦେଇ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ଆଜି ମହାରଥୀଙ୍କ ବାସଭବନକୁ ଯାଇଥିଲେ। ତେବେ ପୁଲିସ୍‌ ଅନୁମତି ନ ଦେବାରୁ ଧସ୍ତାଧସ୍ତି ହୋଇଥିଲା।

ତେବେ ମହାରଥୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ନୂଆ ନୁହେଁ। ପୂର୍ବରୁ ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟକୁ ନେଇ ସେ ବିବାଦୀୟ ହୋଇ ପଡ଼ିଥିଲେ। ରାଜରାସ୍ତାରୁ ନେଇ ବିଧାନସଭା ଯାଏଁ ତୁମ୍ବି ତୋଫାନ ହେବା ପରେ କ୍ଷମା ମାଗିଥିଲେ ମହାରଥୀ। ତେବେ ଏଥର ସେ କୌଣସି ଭୁଲ୍ କରି ନାହାଁନ୍ତି, ତେଣୁ କ୍ଷମା ମାଗିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ପୂର୍ବରୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟଙ୍କୁ ଆକ୍ଷେପ କରି ଅଙ୍ଗନବାଡ଼ି ମନ୍ତବ୍ୟ ଓ ବ୍ରାହ୍ମଣଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ସେତେବେଳେର କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ପଦ ହରାଇବାକୁ ପଡ଼ିଥିଲା। ତେବେ ମହାରଥୀଙ୍କ ବିରୁଦ୍ଧରେ ଦଳ ସୁପ୍ରିମୋ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଏବେ ତା’ ଉପରେ  ସମସ୍ତଙ୍କ ନଜର।

By amfnews

Related Post