Sun. Mar 8th, 2026

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପୂର୍ବରୁ ବଦଳିଯିବ ପୁରୀ

186 Views

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ପୁରୀ ସହରର ଯାହା କିଛି କ୍ଷତି ହୋଇଥିଲା ରାଜ୍ୟ ସରକାର ଇତିମଧ୍ୟରେ ଏକାଧିକ ବଡ଼ ଯୋଜନା ଘୋଷଣା କରି ସେସବୁ କ୍ଷତିର ଭରଣା କରିବାକୁ ପ୍ରୟାସ କରିଛନ୍ତି। ‌ସହରର ବିକାଶ ପାଇଁ ମୋଟ ୭୬୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ପୁରୀର ବିକାଶ କାମକୁ ଦୁଇ ବର୍ଷ ଭିତରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରପାଖ ଓ ସମୁଦ୍ର ବେଳାଭୂମି ଅଞ୍ଚଳରୁ ଉଚ୍ଛେଦ କରାଯାଇଛି। ତେବେ ସରକାରଙ୍କ ପାଇଁ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଏକ ବଡ ଆହ୍ବାନ ହୋଇଛି। ୨୦୨୦ ନଭେମ୍ବର ମାସ ୨୭ ତାରିଖ‌ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁଥିବାରୁ ପୁରୀର ବିକାଶ କାମକୁ ଏହା ପୂର୍ବରୁ ସାରିବାକୁ ହେବ। ଦୀର୍ଘ ୨୬ ବର୍ଷ ପରେ ପଡୁଥିବା‌ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦେଖିବା ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥି ପାଇଁ ପାଖାପାଖି ୬୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆକଳନ କରାଯାଉଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ମଧ୍ୟ ହୋଇସାରିଛି। ତେବେ ଗତ ୧୯୯୪ର ନାଗାର୍ଜୁନ ବେଶରେ ଉପୁଜିଥିବା ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଶ୍ରୀମନ୍ଦିରରେ ଦଳାଚକଟାରେ ୬ ଜଣ ଭକ୍ତ ପ୍ରାଣ ହରାଇଥିବା ବେଳେ ଶତାଧିକ ଗୁରୁତର ଆହତ ହୋଇଥିଲେ। ସେତେବେଳର ବ୍ୟବସ୍ଥାଗତ ତ୍ରୁଟିର ଯେମିତି ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରଶାସନ ସତର୍କ ରହିବା ସହିତ ଶ୍ରୀମନ୍ଦିର ଚାରିପାଖକୁ ମୁକ୍ତ ଅଞ୍ଚଳ କରିବାକୁ ପଡ଼ିବ।

ନବକଳେବର ଭଳି ନାଗାର୍ଜୁନ ବେଶ ପାଇଁ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ୧୯୯୪ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲ‌ା। ସୂଚନାଯୋଗ୍ୟ, ଏହି ବେଶରେ ମହାପ୍ରଭୁ ବୀର ତଥା ପାର୍ବତ୍ୟ ବେଶରେ ସଜ୍ଜିତ ହୋଇଥାନ୍ତି। ଅନ୍ୟ ବେଶଠାରୁ ଏହା ବିରଳ ଓ ଆକର୍ଷଣୀୟ। ତଥ୍ୟ ମୁତାବକ ୧୯୬୬, ୧୯୮୩ ଓ ୧୯୯୩ ଓ ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦୨୦ ନଭେମ୍ବର ୨୭ ତାରିଖ ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ୬ ଦିନ ପଞ୍ଚୁକ ପଡୁଥିବାରୁ ଅତିରିକ୍ତ ଦିନଟି ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

By amfnews

Related Post