Fri. Mar 6th, 2026

ମହାନଦୀ ଜଳ ପରିଚାଳନା ଦେଖିଲେ ଛତିଶଗଡ଼ ପ୍ରତିନିଧି

243 Views

ସମ୍ବଲପୁର : ମହାନଦୀ ଜଳ ବ୍ୟବହାର ବ୍ୟବସ୍ଥା ଦେଖିଛନ୍ତି ଛତିଶଗଡ଼ର ୧୧ ଜଣିଆ ପ୍ରତିନିଧିଦଳ। ଏହି ଅବସରରେ ତାଙ୍କ ସହିତ ଉପସ୍ଥିତ ଥିଲେ ଓଡ଼ିଶା ଜଳସମ୍ପଦ ବିଭାଗର ୮ ଜଣ ଅଧିକାରୀ। ରବିବାର ସକାଳେ ଛତିଶଗଡ଼ର ମହାନଦୀ ରୁଦ୍ରି ପ୍ରୋଜେକ୍ଟର ମୁଖ୍ୟଯନ୍ତ୍ରୀ କେ.ଏସ୍‌. ଧ୍ରୁଙ୍କ ନେତୃତ୍ବରେ ଗଠିତ ଏହି ଟିମ୍‌ ଓପିଜିସି, ଏନଟିପିସି, ଇଣ୍ଡ ଭାରତ, ଭୂଷଣ, ବେଦାନ୍ତ କମ୍ପାନିର ଇନ୍‌ଟେକ୍‌ୱେଲ୍ ପରେ ଶାସନ କେନାଲରେ ପାଣି ବ୍ୟବହାର ଦେଖିଥିଲେ। ଏଥିସହିତ ସ୍ପିଲେୱ ସମେତ ଜଳଭଣ୍ଡାର ସ୍ଥିତି ଆକଳନ କରାଯାଇଥିଲା। ଜଳଭଣ୍ଡାରରୁ ପାଣି ନିଷ୍କାସନ ପରେ ଏହାର ବ୍ୟବହାର କେଉଁଠାରେ କେତେ କରାଯାଉଛି ତାହା ଦେଖିବା ଥିଲା ଏହି ଗସ୍ତର ମୂଳ ଲକ୍ଷ୍ୟ। ସୋମବାର ଏହି ଟିମ୍‌ ହୀରାକୁଦ ଜଳଭଣ୍ଡାର ଟିକରପଡ଼ାକୁ ଯାଇ ତଳମୁଣ୍ଡରେ ପାଣି ଉପଯୋଗିତାର ସମୀକ୍ଷା କରିବେ। ୨ ଦିନ ଓଡ଼ିଶାରେ ରହିବା ପରେ ୧୯ ତାରିଖ ରାତି କିମ୍ବା ୨୦ ତାରିଖ ସକାଳେ ରାୟପୁରକୁ ଫେରିଯିବେ। ପରେ ଏ ସଂକ୍ରାନ୍ତରେ ଟ୍ରିବୁନାଲକୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ମହାନଦୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗ ମହାନଦୀ ପାଣି ବ୍ୟବହାର ନିରୀକ୍ଷଣ କରୁଛନ୍ତି। କିଛି ଦିନ ପୂର୍ବରୁ ଓଡ଼ିଶା ଟିମ୍‌ ଛତିଶଗଡ଼ ଯାଇ ଅନୁଧ୍ୟାନ କରିଥିଲା। ରବିବାର ଛତିଶଗଡ଼ ଟିମ୍‌ ଓଡ଼ିଶା ଆସିଛି। ସେମାନେ ଇନ୍‌ଟେକ୍‌ େୱଲ ଜରିଆରେ କାରଖାନାର ପାଣି ବ୍ୟବହାରକୁ ମୁଖ୍ୟ ଟାର୍ଗେଟ କରୁଥିବା ଜଣାପଡ଼ିଛି। ଏହି ମାମଲା ବିଚାରାଧୀନ ଥିବାରୁ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସଦସ୍ୟ ମୁହଁ ଖୋଲୁ ନାହାନ୍ତି। ଉଭୟଙ୍କ ଟିମ୍‌ରେ ଟ୍ରିବୁନାଲରେ ମାମଲା ଲଢୁଥିବା ଉଭୟ ରାଜ୍ୟର ଆଇନଜୀବୀମାନେ ଉପସ୍ଥିତ ଥିଲେ। ଏଥିସମ୍ପର୍କରେ ଛତିଶଗଡ଼ ଟିମ୍‌ ସଦସ୍ୟଙ୍କ ମତାମତ ମିଳି ପାରି ନାହିଁ। ଓଡ଼ିଶା ଟିମ୍‌ର ନେତୃତ୍ବ ମୁଖ୍ୟଯନ୍ତ୍ରୀ ଆଶୁତୋଷ ଦାସ ନେଇଥିଲେ।

By amfnews

Related Post