Fri. Mar 6th, 2026

ମହାନଦୀ ଜଳବିବାଦ : ଛତିଶଗଡ଼କୁ ଏନ୍‌ଜିଟି ଛାଟ, କେନ୍ଦ୍ରକୁ ରିପୋର୍ଟ ତଲବ

200 Views

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ମାମଲାରେ ଆଜି ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ରେ ଓଡ଼ିଶାକୁ ସାମୟିକ ଆଶ୍ୱସ୍ତି ମିଳିଛି। ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ପକ୍ଷରୁ ୬ଟି ବ୍ୟାରେଜ୍‌ ନିର୍ମାଣ ମାମଲାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ୩ ମାସ ମଧ୍ୟରେ ଦାଖଲ କରିବା ପାଇଁ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଏନ୍‌ଜିଟିର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ରିପୋର୍ଟର ଗୋଟିଏ ନକଲ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଏବଂ ଆଉ ଏକ ନକଲ ଏନ୍‌ଜିଟିରେ ଦାଖଲ କରିବା ପାଇଁ କହିଛନ୍ତି।

ମହାନଦୀ ଜଳ ବିବାଦ ମାମଲାର ମୂଳ ଆବେଦନକାରୀ ସୁଦର୍ଶନ ଦାସଙ୍କ ଆବେଦନର ଶୁଣାଣି କରି ଟ୍ରିବ୍ୟୁନାଲ୍‌ର ଜୁଡିସିଆଲ ମେମ୍ବର ବିଚାରପତି ରାଘବେନ୍ଦ୍ର ଏସ. ରାଠୋର ଏବଂ ବିଶେଷଜ୍ଞ ସଦସ୍ୟ ଡକ୍ଟର ସତ୍ୟଓ୍ଵାନ ସିଂହ ଗାରବ୍ୟାଲ୍‌ଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଜାରି କରିବା ସହିତ ମୂଳ ଆବେଦନର ଫଇସଲା କରିଥିଲେ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଜିର ଶୁଣାଣି ବେଳେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କୌଣସି ଆଇନଜୀବୀ ଟ୍ରିବ୍ୟୁନାଲରେ ଉପସ୍ଥିତ ନଥିଲେ। ଏହାକୁ ନେଇ ଖଣ୍ଡପୀଠ ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଥିଲେ। ମୂଳ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଋତ୍ୱିକ ଦତ୍ତ ଛତିଶଗଡ଼ କିଭଳି ମହାନଦୀର ଉପରମୁଣ୍ଡରେ ୬ଟି ବେଆଇନ ବ୍ୟାରେଜ ନିର୍ମାଣ କରୁଛି ସେ ନେଇ ଖଣ୍ଡପୀଠର ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୭ ସେପ୍ଟେମ୍ବର ୨୦ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ନାଗପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ୬ଟି ଯାକ ବ୍ୟାରେଜ୍‌ର ଅନୁଧ୍ୟାନ କରି ଯେଉଁ ରିପୋର୍ଟ ଦେଇଥିଲା ସେଥିରେ କିଭଳି ଆଇନର ଉଲ୍ଲଙ୍ଘନ କରାଯାଇଛି ତାହାର ରିପୋର୍ଟ ଦିଆଯାଇଥିଲା। ସେହି ପତ୍ରକୁ ଆଜି ଖଣ୍ଡପୀଠଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ତେଣୁ ବେଆଇନ ଭାବେ ନିର୍ମାଣ ହେଉଥିବା ବ୍ୟାରେଜ୍‌ ଓ ପ୍ରକଳ୍ପକୁ ବନ୍ଦ ପାଇଁ ଖଣ୍ଡପୀଠ ଆଦେଶ ଦିଅନ୍ତୁ ବୋଲି ଆଇନଜୀବୀ ଶ୍ରୀ ଦତ୍ତ ଯୁକ୍ତି ବାଢ଼ିଥିଲେ। ପରିବେଶ ମନ୍ତ୍ରାଳୟର ନିଜ କାର୍ଯ୍ୟାଳୟ ପ୍ରକଳ୍ପକୁ ବେଆଇନ କହୁଥିବା ବେଳେ ମନ୍ତ୍ରାଳୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଶ୍ରୀ ଦତ୍ତ ପ୍ରଶ୍ନ ଉଠାଇଥିଲେ। ଶ୍ରୀ ଦତ୍ତଙ୍କ ଯୁକ୍ତିକୁ ଓଡ଼ିଶା ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ସୂର୍ଯ୍ୟ ମିଶ୍ର ଏବଂ ବରିଷ୍ଠ ଓକିଲ ମୋହନ କାଟାର୍କି ସମର୍ଥନ କରିଥିଲେ।

ଛତିଶଗଡ଼ ସରକାରଙ୍କ ଆଡଭୋକେଟ ଜେନେରାଲ ଯୁଗଳ କିଶୋର ଗିଲ୍‌ଡା ଓ ବରିଷ୍ଠ ଆଇନଜୀବୀ ଅତୁଲ ଝା ସେମାନଙ୍କ ପକ୍ଷ ରଖି ବ୍ୟାରେଜ ନିର୍ମାଣ ଆଇନ ଅନୁଯାୟୀ ତ୍ୱରାନ୍ଵିତ ହେଉଛି ବୋଲି ମତ ରଖିଥିଲେ। ମହାନଦୀ ଜଳ ବିବାଦ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇସାରିଥିବାରୁ ଏହି ମାମଲାର ଶୁଣାଣି କେବଳ ଟ୍ରିବ୍ୟୁନାଲରେ ହିଁ ହୋଇପାରିବ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ। ତେବେ ଆବେଦନକାରୀଙ୍କ ଓକିଲ ଓ ଓଡ଼ିଶା ସରକାରଙ୍କ ଓକିଲ ଶୁଣାଣି ସମୟରେ କହିଥିଲେ ବର୍ତ୍ତମାନ ବିବାଦର ଶୁଣାଣି ଯାହା ଏନ୍‌ଜିଟିରେ କରାଯାଉଛି ତାହା ଏଠାରେ ହିଁ କରାଯିବା ଉଚିତ। ତେବେ ଖଣ୍ଡପୀଠ କହିଥିଲେ ଏହା ଉପରେ ସେମାନେ କିଛି ବିଚାର କରିପାରିବେ ନାହିଁ।

By amfnews

Related Post