Sat. Mar 7th, 2026

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ୯୦୦ କଏଦୀଙ୍କୁ ମୁକ୍ତି ମିଳିଲା

232 Views

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ବର୍ଗର କଏଦୀମାନଙ୍କ ଦଣ୍ଡାଦେଶ ମାଫି ମଞ୍ଜୁରୀ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୯୦୦ରୁ ଊର୍ଦ୍ଧ୍ୱ କଏଦୀଙ୍କୁ ମୁକ୍ତ କରିଛନ୍ତି।

୨୦୧୮ ମସିହା ଜୁଲାଇ ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। ୨ ଅକ୍ଟୋବର, ୨୦୧୮, ୬ ଏପ୍ରିଲ୍‌ ୨୦୧୯, ଏବଂ ୨ ଅକ୍ଟୋବର୨୦୧୯ ଦିନ ତିନୋଟି ପର୍ଯ୍ୟାୟରେ କଏଦୀମାନଙ୍କୁ ମୁକ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସପ୍ତାହେ ବ୍ୟାପୀ ଚାଲିଥିବା କଏଦୀମାନଙ୍କ ସ୍ୱତନ୍ତ୍ର ଦଣ୍ଡ ମାଫିର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଯେ’ ଯାହାର କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇବା ପରେ କଏଦୀମାନଙ୍କୁ ମୁକ୍ତ କରିଥିଲେ।

କଏଦୀମାନଙ୍କୁ ମୁକ୍ତ କରିବା ନିମିତ୍ତ ଧାର୍ଯ୍ୟ ହୋଇଥିବା ଦିନର ସାତ ଦିନ ପୂର୍ବରୁ କାରାଗାର ପରିସରରେ ସପ୍ତାହେ ବ୍ୟାପୀ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଉପରେ ଆଧାରିତ କାର୍ଯ୍ୟକ୍ରମ କରାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା।

କଏଦୀମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଏବଂ ସେମାନଙ୍କ ମୁକ୍ତି ସମୟରେ ଜାତିର ଜନକଙ୍କ ସମ୍ବନ୍ଧିତ ପୁସ୍ତକ ଉପହାର ଦିଆଯିବ।

୫୫ ବର୍ଷ ବୟସ୍କ ଏବଂ ପ୍ରକୃତ ଦଣ୍ଡାଦେଶର ୫୦% ପୂର୍ଣ୍ଣ କରିଥିବା ମହିଳା ଓ କିନ୍ନର ଦୋଷୀମାନେ ସ୍ୱତନ୍ତ୍ର ଦଣ୍ଡମାଫି ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି।

୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ପ୍ରକୃତ ଦଣ୍ଡାଦେଶର ୫୦% ପୂରଣ କରିଥିବା ପୁରୁଷ କଏଦୀମାନେ ମଧ୍ୟ ସ୍ୱତନ୍ତ୍ର ଦଣ୍ଡମାଫି ନିମନ୍ତେ ଯୋଗ୍ୟ ହେବେ।

By amfnews

Related Post