Sat. Mar 7th, 2026

ମହାକାଳପଡ଼ା : ଉଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଜାଳିଦେଲେ

174 Views

ମହାକାଳପଡ଼ା : ଉଧାର ଟଙ୍କା ମାଗିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଜଣେ ଯୁବକ ତାଙ୍କୁ ନିଆଁରେ ପୋଡ଼ି ମାରିଦେଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ମହାକାଳପଡା ବ୍ଲକ ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତର ଧନିଆପଡା ଗ୍ରାମରେ  ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ସ୍ବର୍ଗତ ବିଜ୍ଞାନ ବେହେରାଙ୍କ ପତ୍ନୀ ସୁଭଦ୍ରା(୩୩)। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ମାର୍ଶାଘାଇ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଓ ତାଙ୍କ ପରିବାରର ସଦସ୍ୟମାନେ ଫେରାର୍ ହୋଇଯାଇଛନ୍ତି।

ସୂଚନାନୁଯାୟୀ, ଧନିଆପଡା ଗ୍ରାମର ସୁଭଦ୍ରା ସେହି ଗ୍ରାମର ବିଜୟ ସ୍ବାଇଁଙ୍କ ପୁଅ ବିଶ୍ବଜିତ(ବିଟୁ)ଙ୍କୁ ୫୦ ହଜାର ଟଙ୍କା ଉଧାର ଦେଇଥିଲେ। ଟଙ୍କା ନେବା ପରେ ବିଶ୍ବଜିତ ଗଲା ମାସେ ହେବ ଗାଁରୁ କୁଆଡ଼େ ପଳାଇ ଯାଇଥିଲା। ଗତକାଲି ସନ୍ଧ୍ୟାରେ ବିଶ୍ବଜିତ୍ ଘରକୁ ଫେରିବା ଜାଣି ସୁଭଦ୍ରା ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚି ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସହିତ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରେ ସୁଭଦ୍ରା ଘରକୁ ଆସି ଅଧଘଣ୍ଟା ପରେ ପୁଣି ବିଶ୍ବଜିତଙ୍କ ଘରକୁ ‌ଯାଇ ଟଙ୍କା ଫେରାଇବାକୁ କହିଥିଲେ। ଏହି ସମୟରେ ବିଶ୍ବଜିତ୍ ଓ ତାଙ୍କ ପରିବାର ଲୋକେ  ଉତ୍‌କ୍ଷିପ୍ତ ହୋଇ ସୁଭଦ୍ରାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସୁଭଦ୍ରା ଚିତ୍କାର କରିବାରୁ ଗ୍ରାମବାସୀ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ସୁଭଦ୍ରାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନସ୍ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଡାକ୍ତର ଆଜି ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ରେଫର୍ କରିଦେଇଥିଲେ। ଆଜି ସେଠ‌ାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ମୃତା ସୁଭଦ୍ରାଙ୍କ ଭାଇ କିଶୋର ଖଟାଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ହତ୍ୟା ମାମଲା(ନଂ. ୩୦୦/୧୯) ରୁଜୁ କରିଥିବା ବେଳେ ଅଭିଯୁକ୍ତ ବିଶ୍ବଜିତ ଓ ତାଙ୍କ ପରିବାରର ସଦସ୍ୟ ଫେରାର ହୋଇଯାଇଥିବା ଜଣାପଡିଛି।

By amfnews

Related Post