Sat. Mar 7th, 2026

ମହଙ୍ଗା ପଡ଼ିଲା ମଞ୍ଚ ଉପରେ ଗୁଳିଚାଳନା : ନାରୁଆଙ୍କ ନାଁରେ ଟାଉନ୍‌ ଥାନାରେ ମାମଲା, ସୁରକ୍ଷାକର୍ମୀଙ୍କ ନାଁରେ ରହିଛି ଅନେକ ସଂଗିନ ମାମଲା

281 Views

ପୁରୀ : ବିହାରୀ ନେତାଙ୍କ ଷ୍ଟାଇଲ୍‌ରେ ମଞ୍ଚ ଉପରେ ନୃତ୍ୟର ତାଳେ ତାଳେ ଗୁଳିଚାଳନା କରିବା ନାରୁଆ ଓରଫ ନାରାୟଣ ସାହୁଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇଛି ପୁରୀ ପୁଲିସ। ଗତକାଲି ନାରୁଆଙ୍କୁ ଘନ ଘନ ଜେରା କରିବା ସହ ତାଙ୍କର ତିନି ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ପୁଲିସ ଆଜି ଏହି ଘଟଣାରେ ନାରୁଆଙ୍କ ନାଁରେ ଟାଉନ ଥାନାରେ ଏକ ମାମଲା ରୁଜୁ କରିଛି। ଏହାଛଡ଼ା ଚନ୍ଦନପୁର ଥାନା ପୁଲିସ ନାରୁଆଙ୍କ ତିନି ସୁରକ୍ଷାକର୍ମୀଙ୍କ କାର୍‌ ଓ ବାଇକ୍‌ ଆଦିକୁ ଜବତ କରିଛି।

ଅନ୍ୟପଟେ ଗତକାଲିଠାରୁ ଜେରା ଚାଲିଥିବା ତିନି ସୁରକ୍ଷାକର୍ମୀଙ୍କ ନାଁରେ ପୂର୍ବରୁ ଏକାଧିକ ସଂଗିନ ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡ଼ିଛି। ଗତକାଲି ଏହି ତିନି ସୁରକ୍ଷାକର୍ମୀଙ୍କୁ ପୁଲିସ ଭିନ୍ନ ଭିନ୍ନ ସ୍ଥାନରୁ ଧରି ଥାନାରେ ଜେରା କରିଥିଲା। ଦୁଇ ସୁରକ୍ଷାକର୍ମୀଙ୍କୁ ଭାଇଲିପୁର ଛକରୁ ଓ ଅନ୍ୟ ଜଣକୁ ମାଳତୀପାଟପୁର ଛକରୁ ଧରି ପୁଲିସ ଥାନାକୁ ଆଣିଥିଲା। ଏଥିପାଇଁ ପୁଲିସର ଏକାଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ତିନି ସୁରକ୍ଷାକର୍ମୀଙ୍କଠାରୁ ଦୁଇ ପିସ୍ତଲ ବି ଜବତ କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ଖଣ୍ଡିଘରର ପପୁ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ଉତ୍ତର ପ୍ରଦେଶର ବକୁର କୁମାର ଓ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଏକ ମାସ ତଳେ ପୁରୀ ତେଲିସାହିଠାରେ ଥିବା ଏକ କଲ୍ୟାଣ ମଣ୍ଡପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଞ୍ଚ ଉପରେ ନାରୁଆ ଓ ତାଙ୍କ ତିନି ସୁରକ୍ଷାକର୍ମୀ ବିହାରୀ ଷ୍ଟାଇଲରେ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିବା ସହ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିଲା।

By amfnews

Related Post