Sat. Mar 7th, 2026

ମହଙ୍ଗା ପଡ଼ିଲା ଜାତିଆଣ ଆକ୍ଷେପ: ଅଧ୍ୟକ୍ଷ, ଅଧ୍ୟାପକ ଓ କିରାଣିଙ୍କ ନାଁରେ ଏତଲା

198 Views

ରାଉରକେଲା  :   ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ସରବତୀ ଦେବୀ ମହିଳା ମହାବିଦ୍ୟାଳୟର ଜଣେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅଧ୍ୟକ୍ଷଙ୍କ ସହିତ ଜଣେ ଅଧ୍ୟାପକ ଓ କିରାଣି ଅସଦାଚରଣ କରିବା ସହିତ ତାଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏନେଇ ତିନି ଅଭିଯୁକ୍ତଙ୍କ ନାଁରେ ରାଜଗାଙ୍ଗପୁର ଥାନାରେ ଏତଲା ଦିଆଯାଇଥିବା ବେଳେ ଅଧ୍ୟାପକ ଓ କିରାଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ଏ ଘଟଣା ସମ୍ପର୍କରେ ଉକ୍ତ ମହିଳା କର୍ମଚାରୀ ପ୍ରଥମେ ଅଗଷ୍ଟ ୪ ତାରିଖରେ ସୁନ୍ଦରଗଡ଼ ଏସ୍‌ପିଙ୍କୁ ଅନ୍‌ଲାଇନ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଏସ୍‌ପି ଘଟଣାର ତଦନ୍ତ କରିବାକୁ ଏହି ଅଭିଯୋଗ ପତ୍ରକୁ କୁତ୍ରା ଥାନାକୁ ପଠାଇଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଗତ ୨୦ ତାରିଖରେ ରାଜଗାଙ୍ଗପୁର ଥାନାରେ ଉକ୍ତ ମହିଳା ଜଣଙ୍କ କଲେଜର ଅଧ୍ୟକ୍ଷ, ଜଣେ ଅଧ୍ୟାପକ ଓ ଜଣେ କିରାଣିଙ୍କ ନାଁରେ ଏତଲା ଦେଇଥିଲେ। ଏନେଇ ପୁଲିସ୍‌ ଏକ ମାମଲା ରଜୁ କରି ଘଟଣାର ତଦନ୍ତ କରୁଛି।

ରାଜଗାଙ୍ଗପୁର ଏସ୍‌ଡିପିଓ କହିଛନ୍ତି ଯେ ଉକ୍ତ ଅଧ୍ୟାପକ ଓ କିରାଣିଙ୍କ ନାଁରେ ମାମଲା ରୁଜୁ କରାଯାଇଛି ଏବଂ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ଏ ଅଭିଯୋଗ ଆସିବା ପରେ ଗତ ଶନିବାର ଦିନ ପୂର୍ବତନ ବିଧାୟକ ମଙ୍ଗଳ କିଷାନଙ୍କ ଅଧ୍ୟକ୍ଷତାରେ କଲେଜର ପରିଚାଳନା କମିଟି ବୈଠକ ବସିଥିଲା। ବୈଠକରେ କିରାଣି ପାଣୁ ଚରଣ ପାଇକରାୟଙ୍କୁ ନିଲମ୍ବନ କରାଯାଇଥିଲା। ଏଥିସହ ଅଧ୍ୟାପକ ସପନ କୁମାର ପଣ୍ଡାଙ୍କୁ ପ୍ରଶାସନିକ କାମରୁ ଅନ୍ତର କରାଯାଇଥିଲା। ସେହିପରି କଲେଜର ଅଧ୍ୟକ୍ଷ ଚନ୍ଦ୍ରମଣି ପଣ୍ଡାଙ୍କୁ ଅନ୍ୟତ୍ର ବଦଳି ଲାଗି କମିଟି ସରକାରଙ୍କୁ ପତ୍ର ଲେଖିଛନ୍ତି।

By amfnews

Related Post