Thu. Jan 23rd, 2025

ମନଟୋଲା କ ଓ ଖ ବସ୍ତି ପାଲଟିଲା ଖୋଲା ମଳମୂତ୍ର ତ୍ୟାଗମୁକ୍ତ ବସ୍ତି, ବସ୍ତିବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ

rklsanchar@gmail.com' By J.N. Pradhan Jul 3, 2018 #Featured
264 Views

ରାଉରକେଲା, ୩/୭: ଆର୍ଏମ୍ସି ଅନ୍ତର୍ଗତ ୪ ନମ୍ବର ୱାର୍ଡର ମନଟୋଲା କ ଓ ଖ ବସ୍ତି ଖୋଲା ମଳମୂତ୍ର ତ୍ୟାଗମୁକ୍ତ ବସ୍ତିରେ ପରିଣତ ହେବା ପରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ବସ୍ତି ବାସିନ୍ଦା । ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷ, ଆର୍ଏମ୍ସି ଓ ଫିଡ୍ବ୍ୟାକ ଫାଉଣ୍ଡେସନର ନିରନ୍ତର ଉଦ୍ୟମ,  ସ୍ଥାନୀୟ ନିରୀକ୍ଷଣ ସମିତି ତଥା ବସ୍ତି ବାସିନ୍ଦାଙ୍କ ପ୍ରଚେଷ୍ଟା ଫଳରେ ଏହି ସଫଳତା ମିଳିପାରିଛି । ଏହି ସଫଳତାକୁ ବ୍ୟାପକ କରିବା ଲାଗି ମନଟୋଲା ବସ୍ତିରେ ବାସିନ୍ଦାଙ୍କ ଦ୍ୱାରା ଗୌରବ ଯାତ୍ରାର ଆୟୋଜନ କରାଯାଇଥିଲା ।

ଏଥିରେ ଆର୍ଏସ୍ସିଏଲ୍, ଆର୍ଏମ୍ସି ଓ ଫିଡ୍ବ୍ୟାକ ଫାଉଣ୍ଡେସନ ଅଧିକାରୀ ତଥା କର୍ମକର୍ତ୍ତାମାନେ ଯୋଗ ଦେଇ ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ । ପୂର୍ବରୁ ୨ ବସ୍ତିର ଅନେକ ପରିବାର ନିକଟରେ ପାଇଖାନା ନଥିଲା । ଫଳରେ ସେମାନେ ଖୋଲା ସ୍ଥାନରେ ମଳତ୍ୟାଗ କରୁଥିଲେ । ପରବର୍ତ୍ତୀ ସମୟରେ ଆର୍ଏସ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଉଦ୍ୟମ ତଥା ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଗଠିତ ନିରୀକ୍ଷଣ ସମିତି ପ୍ରଚେଷ୍ଟାରେ ଉଭୟ ବସ୍ତିରେ ଶୌଚାଳୟ ନିର୍ମାଣ କରାଯାଇ ବସ୍ତି ବାସନ୍ଦାଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା ।

ପ୍ରତିଦିନ ବଡି ଭୋରରୁ ନିରୀକ୍ଷଣ ସମିତି ସଦସ୍ୟମାନେ ଖୋଲାରେ ମଳ ତ୍ୟାଗ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଏଥିରୁ ବିରତ ରହିବା ପାଇଁ ସଚେତନ କରାଉଥିଲେ । ଘରକୁ ଘର ବୁଲି ତଥା ବସ୍ତି ସଭା ମାଧ୍ୟମରେ ବି ସଚେତନତା ଅଭିଯାନ କରାଯାଇଥିଲା । ଏଥିସହିତ ଆର୍ଏମ୍ସି ପକ୍ଷରୁ ମଧ୍ୟ ଉଭୟ ବସ୍ତିରେ ୨ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା ।

ଯେଉଁମାନଙ୍କ ବ୍ୟକ୍ତିଗତ ଶୌଚାଳୟ ନାହିଁ, ସେମାନେ ବର୍ତ୍ତମାନ ଗୋଷ୍ଠୀ ଶୌଚାଳୟ ବ୍ୟବହାର କରୁଛନ୍ତି । ଫଳରେ ଉଭୟ ବସ୍ତିରେ ରହୁଥିବା ୨୦୩ ପରିବାରର କେହି ବି ସଦସ୍ୟ ଏବେ ଖୋଲାରେ ମଳତ୍ୟାଗ କରୁନଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ତେଲୁଗୁପଡା ବସ୍ତି, ମାଗୁଣି ବସ୍ତି, ମା’ କଲ୍ୟାଣୀ ଝୁମ୍ପୁଡି ବସ୍ତି ଓ ଗାଢାଟୋଲା ବସ୍ତି ବାହ୍ୟ ମଳ ତ୍ୟାଗମୁକ୍ତ ବସ୍ତିରେ ପରିଣତ ହୋଇସାରିଛି ।

Related Post