Tue. Mar 10th, 2026

ମନଇଚ୍ଛା କରାଉଥିଲେ ଆଡମିଶନ, ୩ କର୍ମଚାରୀଙ୍କଠୁ ଦାୟିତ୍ୱ କାଢ଼ି ନିଆଗଲା

147 Views

ଜଗତସିଂହପୁର : ମନଇଚ୍ଛା ସିଟ୍ ଅନୁମୋଦନ କରି କଲେଜରେ ନାମ ଲେଖାଇବା ଅଭିଯୋଗରେ ୩ କର୍ମଚାରୀଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ଏହି ନାମଲେଖା ଜାଲିଆତିର ଶୀକାର ହୋଇଥିବା ଛାତ୍ରଛାତ୍ରୀ ମିଥ୍ୟା ରେଜିଷ୍ଟ୍ରେସନ ନମ୍ୱରରେ ପରୀକ୍ଷା ଦେଇଥିବା ଜାଣିବା ପରେ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଗତସିଂହପୁର ଜିଲ୍ଲାର ଏସ୍.ଭି.ଏମ୍.କଲେଜରେ ଗତ ୨୦୧୫-୧୬ ଶିକ୍ଷାବର୍ଷରେ ଯୁକ୍ତ ୩ ଶ୍ରେଣୀ ନାମଲେଖାରେ ହୋଇଥିବା ଜାଲିଆତି ଘଟଣାର ତଦନ୍ତ ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଗଠିତ ୩ ଜଣିଆ କମିଟି ଗତ ନଭେମ୍ୱର ୧୬ ତାରିଖରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ସରକାରଙ୍କ ପରାମର୍ଶ ଅନୁସାରେ  ଅଧ୍ୟାପକ ଡ. ଧିରେନ ମହାନ୍ତି, ଯୁକ୍ତ ୨ ର ଡାଟା ଏଣ୍ଟ୍ରି ଅପରେଟର ବିଜ୍ଞାନ ମିହିର ମହାନ୍ତି ଓ ଯୁକ୍ତ ୩ ର ଡାଟା ଏଣ୍ଟ୍ରି ଅପରେଟର ପ୍ରଦୀପ୍ତ କୁମାର ଜେନାଙ୍କଠାରୁ ସେମାନଙ୍କ ଦାୟିତ୍ୱ କାଢି  ନିଆଯାଇଥିବା କହିଛନ୍ତି କଲେଜ ଅଧ୍ୟକ୍ଷା ନୀତାରାଣୀ କର।

ସେହିପରି ସେ ସମୟରେ ଦାୟିତ୍ୱରେ ଥିବା ୨ ଜଣ ଅଧ୍ୟକ୍ଷଙ୍କୁ ମଧ୍ୟ ସରକାର ସ୍କାନରରେ ରଖିଛନ୍ତି। ଯେହେତୁ ସେମାନେ ଅବସର ନେଇ ସାରିଛନ୍ତି ତେଣୁ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ବୋଲି ଅଧ୍ୟକ୍ଷା ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ନାମଲେଖା ଜାଲିଆତିର ଶୀକାର ହୋଇଥିବା ଛାତ୍ରଛାତ୍ରୀମାନେ ମିଥ୍ୟା ରେଜିଷ୍ଟ୍ରେସନ ନମ୍ୱରରେ ପରୀକ୍ଷା ଦେଇଥିବା ଜାଣିବା ପରେ ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।  ବାରମ୍ୱାର କଲେଜ ପରିଚାଳନା କମିଟିଠାରୁ ଆରମ୍ଭ କରି ଉତ୍କଳ ବିଶ୍ୱ ବିଦ୍ୟାଳୟ ତଥା ଉଚ୍ଚ ଶିକ୍ଷା ବିଭାଗକୁ ଦୈାଡି ଦୈାଡି ନୟାନ୍ତ ହେଲେ।  ହେଲେ ନ୍ୟାୟ ନ ମିଳିବାରୁ ଅକ୍ଟୋବର ମାସରେ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଉଚ୍ଚ ଶିକ୍ଷା ବିଭାଗ ଏକ ୩ ଜଣିଆ କମିଟି ଗଠନ କରି  ମାମଲାର ତଦନ୍ତ କରିଥିଲା।

By amfnews

Related Post