Thu. Dec 26th, 2024

ମଧ୍ୟପ୍ରଦେଶ ନିର୍ବାଚନ: ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ୨୦୦୦ ମତଦାନ କେନ୍ଦ୍ର

By amfnews Nov 27, 2018 #Featured
182 Views

ନୂଆଦିଲ୍ଲୀ, ନଭେମ୍ବର ୨୭ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଭିଏଲ କାନ୍ତରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟର ୬୫,୦୦୦ ମତଦାନ କେନ୍ଦ୍ରରେ ମତଦାନ ହେବ । ଏଥିରେ ୨୦୦୦ ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯିବ । ମତଦାନ ପ୍ରକ୍ରିୟାରେ ୩ ଲକ୍ଷ ସରକାରୀ କର୍ମଚାରୀ ଯୋଗଦେଇଥିବା ବେଳେ, ଏଥିରୁ ୪୫ ହଜାର ହେଉଛନ୍ତି ମହିଳା । ପ୍ରାୟ ୨୦୦୦ ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯିବ । ସେହିଭଳି ୧୬୦ ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ହେବ ।

ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯାଇଛି । ମତଦାନ କେନ୍ଦ୍ରରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ନିକଟରେ ପ୍ରିଣ୍ଟ, ଇଲେକଟ୍ରୋନିକ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାରକୁ ପ୍ରଶୟ ଦିଆଯାଇ ନାହିଁ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ତିନି ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୨ ହଜାର ହେଉଛନ୍ତି କେନ୍ଦ୍ର ସରକାରଙ୍କ କର୍ମଚାରୀ । ସେମାନେ ନିର୍ବାଚନ ପ୍ରକ୍ରିୟା ଉପରେ ଅବଲୋକନ କରୁଛନ୍ତି । ମଧ୍ୟପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୨୮ରେ ମତଦାନ ହେବ । ଏଥିରେ ୨୩୦ ବିଧାୟକଙ୍କ ଭାଗ୍ୟ ପରୀକ୍ଷା ହେବ । ଡିସେମ୍ବର ୧୧ରେ ଫଳାଫଳ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ୨୦୧୩ ବିଧାନସଭା ନିର୍ବାଚନରେ ବିଜେପିକୁ ୧୬୬ ଟି ଆସନ ମିଳିଥିଲା । ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି । ଗତ ଥର ନିର୍ବାଚନରେ କଂଗ୍ରେସକୁ ୫୮ ଏବଂ ବିଏସପିକୁ ୪ଟି ସିଟ ମିଳିଥିଲା । ତିନି ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାୟକ ହୋଇଛନ୍ତି । ଜାନୁୟାରୀ ୭ରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ।

By amfnews

Related Post