Sat. Mar 7th, 2026

ମଦ ଦୋକାନ ଉଚ୍ଛେଦ ପାଇଁ ମହିଳାଙ୍କ ପଣ, ଅନଶନରେ ବସିଛନ୍ତି ୨୦୦ ମହିଳା

155 Views

ରାଜନଗର : ରାଜନଗର ବ୍ଲକର ଭିତରଗଡ ଛକଠାରେ ଖୋଲାଯାଇଥିବା ଠିପିବନ୍ଦ ବିଦେଶୀ ମଦଦୋକାନ ଉଚ୍ଛେଦ ଦାବିରେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରବଳ ବର୍ଷାରେ ୨ଶହରୁ ଅଧିକ ମହିଳା ଭୋର ୫ଟା ରୁ ରାସ୍ତା ଉପରେ ଆମରଣ ଅନଶନରେ ବସି ରହିଛନ୍ତି। ରାତି ୮ଟା ପର୍ଯ୍ୟନ୍ତ ବି ଏହି ଆମରଣ ଅନଶନ ଜାରି ରହିଛି।

ସୂଚନା ଅନୁଯାୟୀ ରାଜନଗର ବ୍ଲକର ଚାନ୍ଦିବାଉଁଶମୂଳ ପଂଚାୟତର ଜରିମୂଳ ଠାରେ ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ଚାନ୍ଦିବାଉଁଶମୂଳ ଠାରେ ଠିପି ଖୋଲା ମଦ ଦୋକାନ ଥିଲା। ମହିଳାମାନଙ୍କ ଆନ୍ଦୋଳନ ଫଳରେ ୩ ମାସ ତଳେ ୨ଟି ମଦଦୋକାନକୁ ବନ୍ଦ କରାଯାଇଥିଲା। ଗତମାସ ୨୪ ତାରିଖ ଠାରୁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଭିତରଗଡ ଛକ ଠାରେ ଖୋଲାଯାଇଛି।

ଏହାକୁ ବିରୋଧ କରି ଆଜି ଠାରୁ ପଂଚାୟତ ମିଶନ ଶକ୍ତି ଫେଡେରେସନର ସଭାପତି ସୁକାନ୍ତି ଜେନା, କଲ୍ୟାଣି ଜେନା, ନିର୍ମଳା ଦାସ, ପ୍ରତିଭା ଜେନା, ବିନୋଦିନୀ ରାଉତରାୟ, ବିନୋଦିନୀ ଚଣ୍ତ, ସବିତା ପ୍ରଧାନ, ସୁକାନ୍ତି ରାଉତରାୟ ପ୍ରମୁଖଙ୍କ ନେତୃତ୍ବରେ ୨ଶହରୁ ଉର୍ଦ୍ଧ୍ବ ମହିଳା ଆଜି ଭୋର ୫ଟା ରୁ ଆମରଣ ଅନଶନରେ ବସିଛନ୍ତି। ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖ ରାଜନଗର– ତାଳଚୁଆ ମୁଖ୍ୟରାସ୍ତାକୁ ଅବରୋଧ କରି ମହିଳାମାନେ ବସି ରହିଛନ୍ତି। କେନ୍ଦ୍ରାପଡା ଜିଲ୍ଲାପାଳ ଘଟଣାସ୍ଥଳରେ ପହଁଚି ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଏହି ଆମରଣ ଅନଶନ ଜାରି ରହିବ ବୋଲି ମହିଳାମାନେ କହିଛନ୍ତି।

By amfnews

Related Post