Sun. Mar 8th, 2026

ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ; କୋଦାଳ ବେଣ୍ଟରେ ପିଟି ୩ଜଣଙ୍କୁ ହତ୍ୟା

290 Views

କେନ୍ଦ୍ରାପଡ଼ା ୧୮/୧୧ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ମଦ ପିଇ ପରିବାର ଲୋକଙ୍କୁ ଆକ୍ରମଣ କରିବା ସହ ୩ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମଧୁସୂଦନ ପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆକ୍ରମଣକାରୀ ଯୁବକଙ୍କ ନାଁ ହେଲା ବିକ୍ରମ ଦାସ। ମୃତକ ହେଲେ ଧୃବ ଦାସ, ତାଙ୍କ ସ୍ତ୍ରୀ ସରସ୍ୱତୀ ଦାସ ଓ ଝିଅ ପ୍ରତିମା ଦାସ। ଏମାନେ ସମସ୍ତେ ଗୋଟିଏ ପରିବାରର। ଧ୍ରୁବ ଓ ସରସ୍ୱତୀ ବିକ୍ରମଙ୍କ ସମ୍ପର୍କୀୟ ଜେଜେବାପା, ଜେଜେମା’ ଓ ପ୍ରତିମା ତାଙ୍କ ପିଉସୀ ଥିଲେ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିକ୍ରମ ଅତ୍ୟଧିକ ମଦ୍ୟ ପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଥିଲା। କୌଣସି କାରଣକୁ ନେଇ ବିକ୍ରମ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ବିକ୍ରମ ଏକ କୋଦାଳ ବେଣ୍ଟରେ ତାଙ୍କ ସ୍ତ୍ରୀ କୁ ମାରିଥିଲେ।  ବିକ୍ରଙ୍କ ବାପା ଅକ୍ଷୟ ଏବଂ ମା’ କେତକୀ ଏହlର ପ୍ରତିବାଦ କରିବାରୁ ବିକ୍ରମ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପରିବାର ଲୋକେ ଜୀବନ ବଞ୍ଚାଇବାକୁ ଦୌଡି ପଳାଇବାରୁ ବିକ୍ରମଙ୍କ ହାବୁଡରେ ଧୃବ, ସରସ୍ୱତୀ ଓ ପ୍ରତିମା ପଡ଼ିଥିଲେ।

ଏହି ତିନି ଜଣଙ୍କୁ ବିକ୍ରମ କୋଦାଳ ବେଣ୍ଟରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଧୃବ ଏବଂ ସରସ୍ଵତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରତିମାଙ୍କୁ କଟକ ବଡ଼ ମେଡିକାଲ୍‌କୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ବିକ୍ରମଙ୍କ ମା’ କେତକୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ତାଙ୍କୁ ମେଡିକାଲ୍‌ରେରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବିକ୍ରମ ଫେରାର ଥିବାବେଳେ ଘଟଣାର ପ୍ରକୃତ କାରଣ କ’ଣ ଜଣାପଡ଼ି ନାହିଁ। ଅତ୍ୟଧିକ ମଦ ପିଇ ସେ ଏଭଳି କାଣ୍ଡ କରିଥିଲେ ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post