Wed. Mar 11th, 2026

ମଦର ଟେରେସାଙ୍କର ଏହି ବାଣୀ ଦ୍ୱାରା ପ୍ରଭାବିତ ଆକାଶ ଗତ ୧୦ ବର୍ଷ ହେବ ଜରାଶ୍ରମରେ ନିଜର ସ୍ୱତନ୍ତ୍ର ଦିନ କାଟି ଆସୁଛନ୍ତି

181 Views

ଭୁବନେଶ୍ୱର: ଆଜି ଓଲିଉଡ୍‌ ଷ୍ଟାର୍‌ ତଥା ବିଜେଡ଼ି ନେତା ଆକାଶ ଦାସନାୟକଙ୍କ ଜନ୍ମଦିନ। ପ୍ରତିବର୍ଷ ପରି ଏବର୍ଷ ବି ବେଶ୍‌ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ଆକାଶ। ସେ ଟଙ୍କପାଣି ରୋଡ୍‌ ସ୍ଥିତ ‘ଶ୍ରୀକ୍ରିଷ୍ଣା ଜରାଶ୍ରମ’ର କିଛି ସଦସ୍ୟଙ୍କୁ ନେଇ ଜଗନ୍ନାଥଧାମ ପୁରୀ ବୁଲିବାକୁ ଯାଉଛନ୍ତି। ଅନେକ ବର୍ଷ ହେବ ଜନ୍ମଦିନରେ ଜରାଶ୍ରମରେ ନିଜର ସମୟ ବାଣ୍ଟିଥାନ୍ତି ସେ। ଏବର୍ଷ ବି ଅନୁରୂପ କାର୍ଯ୍ୟକ୍ରମ ରହିିଛି।

ନିଜ ଜନ୍ମଦିନ ପାଳନକୁ ନେଇ ଆକାଶ କୁହନ୍ତି, ‘କେକ୍‌ କଟିଂ ସେତେଟା ଜରୁରୀ ନୁହେଁ। ସମାଜର ଭିନ୍ନ ସ୍ରୋତର ଲୋକଙ୍କ ସହ କିଛି ସମୟ ବିତାଇ ସେମାନଙ୍କ ସହ କିଛି ସମୟ ବାଣ୍ଟିବାର ଅନୁଭୂତି ନିଆରା। ମୁଁ ପ୍ରତିବର୍ଷ ଏଭଳି ସ୍ୱତନ୍ତ୍ର ଲୋକମାନଙ୍କ ସହ ସମୟ ବିତାଇବକୁ ପସନ୍ଦ କରେ। ‘ଶ୍ରୀକ୍ରିଷ୍ଣା ଜରାଶ୍ରମ’ର ବୟୋଜ୍ୟେଷ୍ଠମାନଙ୍କୁ ନେଇ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ଅବଢ଼ା ଖାଇ ଆଜି ଫେରିବାର ବନ୍ଦୋବସ୍ତ ରହିଛି।

ଟିକେ ଟିକେ ଖୁସି ବାଣ୍ଟିବା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଅଣାଯାଇପାରିବ। କାହିଁକି ନା, ମଦର ଟେରେସା କହିଥିଲେ କି ‘ଯଦି ତୁମେ ୧୦୦ ଜଣ ଲୋକଙ୍କୁ ଖୁଆଇ ପାରୁନ ତେବେ ଅନ୍ତତଃ ଜଣକୁ ଖୁଆଅ।’ ଆମ ଦ୍ୱାରା ଯେତିକି ହୋଇପାରିବ ସେତିକି କରିବା ଉଚିତ। ଆମେ ବ୍ୟକ୍ତିଗତ ସ୍ତରରେ ଅଳ୍ପଅଳ୍ପ କାମ କଲେ ବି ବଡ଼ ସଫଳତା ମିଳିପାରିବ।’ ଗତ ୧୦ ବର୍ଷ ହେବ ଆକାଶ କେବଳ ତାଙ୍କ ଜନ୍ମଦିନ ନୁହେଁ ‘ହୋଲି’, ‘ଦୀପାବଳୀ’ ଆଦି ସ୍ୱତନ୍ତ୍ର ଦିନମାନଙ୍କରେ ଏପରି ସ୍ୱତନ୍ତ୍ର ଲୋକମାନଙ୍କ ସହ ସମୟ କାଟିଥାଆନ୍ତି। ଆଜି ଆକାଶଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ପୁରୀ ଯାଇ ସେଠାରେ ତାଙ୍କ ଜନ୍ମଦିନର ଏହି ନିଆରା ସଂକଳ୍ପରେ ତାଙ୍କର ସାଥ୍‌ ଦେଉଛନ୍ତି।

By amfnews

Related Post