Sun. Jun 8th, 2025

ମଞ୍ଚେଶ୍ୱରକୁ ବ୍ୟାପିଲା ଡେଙ୍ଗୁ

By amfnews Aug 18, 2018 #Featured
205 Views

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ବିଡିଏ କଲୋନି, ଓମ୍‌ଫେଡ୍‌ ବସ୍ତି ଓ କେୟାର୍‌ ହସ୍ପିଟାଲ୍‌ ନିକଟ ବସ୍ତିରେ କାୟା ମେଲାଇଥିବା ଡେଙ୍ଗୁ ଏବେ ମଞ୍ଚେଶ୍ୱର ଅଞ୍ଚଳକୁ ବ୍ୟାପିଛି। ଗତକାଲି ଗୋଟିଏ ଦିନରେ ଗାଡ଼କଣ ଗ୍ରାମର ୨ ଜଣ ଓ ମଞ୍ଚେଶ୍ୱର ରେଲେଓ୍ଵ କଲୋନିର ୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ଡେଙ୍ଗୁ ଚିହ୍ନଟ ହୋଇଛି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।

ଏହି ଅଞ୍ଚଳରେ ସୈନିକ ସ୍କୁଲ୍‌ ଡମ୍ପିଂୟାର୍ଡ ରହିଛି। ସେଠାରେ ଅଳିଆ ଆବର୍ଜନା ପଡ଼ି ରହିବା ସହ ବର୍ଷା ଯୋଗୁଁ ତାହା ମଶା ବଂଶ ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି ସ୍ଥାନୀୟ ଅଞ୍ଚଳର ଯୁବନେତା ବୁଲୁ ପତି, ବାବୁଲି ପାତ୍ର ଓ ଅମୁଲି ପାତ୍ର ଅଭିଯୋଗ କରିଛନ୍ତି। ଆଦିମାତା କଲୋନି, ଗାଡ଼କଣ ଓ ରଙ୍ଗମାଟିଆ ଗ୍ରାମବାସୀ କହିଛନ୍ତି ଯେ ଏହି ଅଞ୍ଚଳ ପ୍ରତି ବିଏମ୍‌ସି ଆଦୌ ଗୁରୁତ୍ୱ ଦେଉନି।

ପ୍ରତିବର୍ଷ ଏହି ସମୟରେ ମଶା ଧୂଆଁ ଛଡ଼ା ଯାଉଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଦେଖିବାକୁ ମିଳୁନି। ମଶା ଧୂଆଁ ଗାଡ଼ି ଆସୁ ନାହିଁ। ପ୍ରତିଦିନ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅଳିଆ ପଡ଼ି ରହୁଛି। ଡ୍ରେନ୍‌ ସଫା କରାଯାଉ ନଥିବାରୁ ଏହି ଅଞ୍ଚଳ ମଶାଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଛୋଟ ବଡ଼ ଜଳାଶୟରେ ବ୍ଲିଚିଂ ପକାଯାଉ ନାହିଁ। ଡେଙ୍ଗୁ ନିରାକରଣ କେବଳ କାଗଜ କଲମରେ ଚାଲିଛି। ଉଚିତ୍‌ ପଦକ୍ଷେପ ନିଆଯାଉନି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଞ୍ଚଳରେ ସଫେଇ ହେଉନି, ବ୍ଲିଚିଂ ପଡ଼ୁନି। ଫଳରେ ଡେଙ୍ଗୁ ବ୍ୟାପୁଛି।

ଆହୁରି କିଛି ଲୋକଙ୍କୁ ଏବେ ଜ୍ୱର ହୋଇଥିବାରୁ ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ସଫେଇକୁ ଗୁରୁତ୍ୱ ଦେବାକୁ ଲୋକେ ଦାବି କରିଛନ୍ତି।ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ ଓ୍ଵାର୍ଡକୁ ଡେଙ୍ଗୁ ଡେଉଁଥିବା ବେଳେ ଏହାର ନିରାକରଣ ଦିଗରେ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନେଉନି ପ୍ରଶାସନ। ଯେଉଁଥିପାଇଁ ପ୍ରଥମେ ବିଏମ୍‌ସିର ୧୬ ନମ୍ବର ଓ୍ଵାର୍ଡରେ ବ୍ୟାପିଥିବା ଡେଙ୍ଗୁ ପରେ ୧୩ ଓ ୧୪ ନମ୍ବର ଓ୍ଵାର୍ଡରେ ଆତଙ୍କ ଖେଳାଇଛି। ୧୫ଦିନ ତଳେ ୧୪ ନମ୍ବର ଓ୍ଵାର୍ଡର ଓମ୍‌ଫେଡ୍‌ ବସ୍ତିରେ ୭ ଜଣ ଆକ୍ରାନ୍ତ ହେବାରୁ ଲୋକଙ୍କ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ଓମ୍‌ଫେଡ୍‌ ବସ୍ତିକୁ ଡେଙ୍ଗୁ ଯାଞ୍ଚ କରିବାକୁ ଯାଇଥିବା ସ୍ୱସ୍ଥ୍ୟ ଅଧିକାରୀଙ୍କୁ ଲୋକେ ଘେରିଥିଲେ। ଦେଢ଼ ଘଣ୍ଟା ଧରି ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ହଲାପଟା ହେବାକୁ ପଡ଼ିଥିଲା।

By amfnews

Related Post