Sun. Mar 8th, 2026

ଭଡ଼ାଘରେ ଠକେଇ ରାକେଟ୍‌: ଚାକିରି ଦେବାକୁ କହି ନେଇଯାଉଛନ୍ତି କୋଟି କୋଟି ଟଙ୍କା

206 Views

ଭୁବନେଶ୍ୱର, ଡିସେମ୍ବର ୨୭  : କୋଟି କୋଟି ଟଙ୍କା ଠକି ନେଉଛନ୍ତି କନ୍‌ସଲ୍‌ଟାନ୍‌ସି ଏଜେନ୍‌ସି। ଭଡ଼ାଘରେ ଚାଲିଛି ଏହି କେଳେଙ୍କାରୀ। ଭଡ଼ା ନେଇ ଅଫିସ୍‌ କରିବା ପରେ ଟାର୍ଗେଟ ହେଉଛନ୍ତି ଗାଁ ଗହଳିର ବେକାର ଯୁବକ/ଯୁବତୀ। ଚାକିରି ଆଳରେ ଆଦାୟ ହେଉଛି ମୋଟା ଅଙ୍କର ଟଙ୍କା। ଏହା ପରେ ଅଫିସ ବନ୍ଦ, କର୍ମଚାରୀ ଉଭାନ୍‌। ଅପହଞ୍ଚ ଦୂରତାରେ ମୋବାଇଲ। ତା’ ପରେ ଥାନାରେ ଜମୁଛି ଭିଡ଼। ପୁଲିସର ପାଲଟା ପ୍ରଶ୍ନ‌ରେ କାନମୁଣ୍ଡା ଆଉଁସି ଗାଁକୁ ଫେରିଯାଉଛନ୍ତି ଚାକିରି ଆଶାୟୀ ବେକାର ଯୁବକ/ଯୁବତୀ। ଏଭଳି ଏକ ଦୃଶ୍ୟ ଆଜି ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି।

୧୫ରୁ ଊର୍ଦ୍ଧ୍ବ ହିତାଧିକାରୀ ଏଭଳି ଏକ କନ୍‌ସଲ୍‌ଟାନ୍ସି ଜାଲରେ ପଡ଼ି ହତାଶ ହେବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନାରୁ ହତାଶ ହେବା ପରେ ଏସିପି ଓ ପରେ ଡିସିପିଙ୍କ ପର୍ଯ୍ୟନ୍ତ ଯାଇଛନ୍ତି। ହେଲେ କନ୍‌ସଲ୍‌ଟା‌ନ୍ସିର ଦେଖା ମିଳିନି। ତେବେ କେବଳ ଏହି ଗୋଟିଏ ସଂସ୍ଥା ନୁହେଁ, ବରଂ ଭୁବନେଶ୍ବରରେ ଶହ ଶହ ସଂସ୍ଥା ଏହାକୁ ଏକ ରୋଜଗାରର ମାଧ୍ୟମ କରିଛନ୍ତି। ତେବେ କେତେକ ସଂସ୍ଥା ଅଛନ୍ତି ଯେଉଁମାନେ ଏଭଳି ଠକଙ୍କ ପାଇଁ ବଦନାମ ହେଉଥିବା କହିଛନ୍ତି। ଅନ୍ୟପଟେ ଭଡ଼ାଟିଆଙ୍କ ତାଲିକା ପୁଲିସ ପାଖରେ ରହୁନାହିଁ। ନିର୍ଦ୍ଦେଶ ସତ୍ବେ ଘରମାଲିକ ଭଡ଼ାଟିଆଙ୍କ ବିବରଣୀ ଥାନାରେ ଦାଖଲ କରୁ ନଥିବାରୁ ପୁଲିସ ଭଡ଼ାଟିଆଙ୍କୁ ଖୋଜି ପାରୁନାହିଁ। ଫଳରେ ଏହି ସଂସ୍ଥା କୋଟି କୋଟି ଲୁଟି ଫେରାର୍‌ ହୋଇଯିବାକୁ ସକ୍ଷମ ହେଉଛି। ଅନ୍ୟପଟେ ଏହି ସଂସ୍ଥାଗୁଡ଼ିକ ସହ ପୁଲିସର ଭିତିରି ସମ୍ପର୍କ ରହୁଥିବା ମଧ୍ୟ ଅଭିଯୋଗ ହେଉଛି।

ରିଙ୍କୁ ଗୌଡ଼ଙ୍କ ଅଭିଯୋଗ ମୁତାବକ, ପର୍ଫେକ୍ଟ ଗ୍ରୁପ୍‌ ଏଜେନ୍‌ସି ନାମକ ଏକ ସଂସ୍ଥା ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳେଶ୍ରୀ ବିହାରର ଏକ ଭଡ଼ାଘରେ ଖୋଲିଥିଲା। ବିଭିନ୍ନ ସଂସ୍ଥାରେ ଚାକିରି ଦେବାପାଇଁ ଏଜେନ୍‌ସି ପ୍ରଶିକ୍ଷଣ ପ୍ରଦାନ କରିବା ସହ ଚାକିରି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ହଜାରେ ଟଙ୍କା ପଞ୍ଜୀକରଣ କରିବା ପରେ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ଜମା କରିବାକୁ ପଡ଼ୁଥିଲା। ଏହା ପରେ ପ୍ରଶିକ୍ଷଣ ଆରମ୍ଭ ହେଉଥିଲା। ଏହି ପ୍ରଶିକ୍ଷଣ ସମୟରେ ମାସିକ ୬ ହଜାର ଓ ପ୍ରୋବେସନ୍‌ ସମୟରେ ମାସିକ ୭୫୦୦ ଦେବାକୁ ପ୍ରତିଶ୍ରୁତି ରହିଥିଲା।
ପ୍ରୋବେସନ୍‌ ପୂର୍ବରୁ ଆଉ ଗୋଟିଏ କିସ୍ତିରେ ୧୦ ହଜାର ଜମା କରିବାକୁ ପଡ଼ୁଥିଲା। ଏଭଳି ୨୧ ହଜାର ଟଙ୍କା ନେବା ପରେ ଏକ ସଂସ୍ଥାରେ ଚାକିରି କରିବା ପାଇଁ ୪ ହଜାର ଟଙ୍କା ବଦଳରେ ଜଏନିଂ ଲେଟର୍‌ ମିଳୁଥିଲା। ଏମାନଙ୍କର ଘର ଢେଙ୍କାନାଳ ହୋଇଥିବାରୁ ରିଙ୍କୁ ଗୌଡ଼ଙ୍କ ସହ କରୁଣାକର ଘଡ଼େଇ, ବିଶ୍ବକେଶରୀ ଜେଠୀ ପ୍ରମୁଖଙ୍କୁ ଢେଙ୍କାନାଳର ଏକ ଶିଳ୍ପରେ ଚାକିରି ମିଳିଥିଲା। ଏଭଳି ମୋଟ ଜଣକା ୨୫ ହଜାର ଦେବା ପରେ ଜଏନିଂ ଲେଟର୍‌ ମୁତାବକ ଢେଙ୍କାନାଳର ସମ୍ପୃକ୍ତ ଶିଳ୍ପ‌ ଠିକଣା ଖୋଜି ଖୋଜି ପହଞ୍ଚିବା ପରେ ସେଠାରେ ଶିଳ୍ପ ନଥିଲା। ସେଠାରୁ ହତାଶ ହୋଇ ଏମାନେ ଶୈଳେଶ୍ରୀ ବିହାରର ସମ୍ପୃକ୍ତ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ତାଲା ପଡ଼ିଥିଲା। ଘରମାଲିକକୁ ପଚାରିବା ପରେ ଜଣାପଡ଼ିଥିଲା କି ଘର ମାଲିକ ମଧ୍ୟ ଘର ଭଡ଼ା ବାବଦକୁ ଟଙ୍କା ପାଇବାକୁ ଅଛି। ଫୋନ୍‌ ଲଗାଇବା ପରେ ତାହା ଅପହଞ୍ଚ ଦୂରତାରେ ଥିଲା। ଏହା ପରେ ସେମାନେ ‌ଢେଙ୍କାନାଳ ଥାନାକୁ ଯାଇଥିଲେ। ସେଠାରେ ଅଭିଯୋଗପତ୍ର ଗ୍ରହଣ କରାଗଲା ନାହିଁ।

ଭୁବନେଶ୍ବରରେ ଘଟଣା ଘଟିଥିବାରୁ ସେଠାରେ ଯାଇ ଏତଲା ଦେବା ପାଇଁ ପରାମର୍ଶ ମିଳିଥିଲା। ଚନ୍ଦ୍ରଶେଖରପୁର ଥାନାରେ ନ୍ୟାୟ ନ ମିଳିବାରୁ ସେମାନେ ଏସିପି, ଡିସିପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୪ ତାରିଖରୁ ସେମାନେ ଏଭଳି ଦଉଡ଼ୁଥିଲେ ମଧ୍ୟ ଫଳ ଶୂନ ହୋଇଛି। ଗରିବ ଘରର ହୋଇଥିବାରୁ ଭୁବନେଶ୍ବର ଦଉଡ଼ିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନାହିଁ। ତେବେ କେବଳ ଏହି ଗୋଟିଏ ସଂସ୍ଥା ନୁହେଁ, ଭୁବନେଶ୍ବରର ରସୁଲଗଡ଼, ଜୟଦେବ ବିହାର, କଟକ ‌ରୋଡ୍‌, ହଂସପାଳ ପ୍ରଭୃତି ଅଞ୍ଚଳରେ ଏଭଳି ସଂସ୍ଥାମାନ ରହିଛି। ଅନାୟା‌ସରେ ଏମାନେ ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଅର୍ଥ ଉପାର୍ଜନ କରୁଛନ୍ତି। ତେବେ ସଂସ୍ଥା କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରାଯାଇଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚନ୍ଦ୍ରଶେଖରପୁର ଥାନା ପକ୍ଷରୁ କୁହାଯାଇଛି।

By amfnews

Related Post