Wed. Mar 12th, 2025

ଭିଭିପ୍ୟାଟ୍‌ ଭୋଟ୍‌ ଗଣତି ଦାବି କଲା ବହୁଜନ କ୍ରାନ୍ତି ମୋର୍ଚ୍ଚା

By amfnews Nov 25, 2019 #Featured
101 Views

ଭୁବନେଶ୍ୱର : ଇଭିଏମ୍‌(ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌)କୁ ସହଜରେ ଭୋଟ ସଂଖ୍ୟା କମ୍‌ବେଶି କରିହେବ। ଏହାକୁ ପରିଚାଳନା କରୁଥିବା ବ୍ୟକ୍ତି ଯାହାକୁ ଚାହିଁବ ତା’ର ଭୋଟ ବଢ଼ାଇ ପାରିବ କମାଇ ପାରିବ। ଏ ନେଇ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକ ୱାମନ୍‌ ମେଶ୍ରାମ୍‌। ଆଜି ହୋଟେଲ ଜନପଥ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ଅଭିଯୋଗ କରିବା ସହ ଭିଭିପ୍ୟାଟ୍‌ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି। ବିଭିନ୍ନ ରାଜ୍ୟ ବୁଲି ଏହି କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜୁନ୍‌ ମାସରୁ କାଶ୍ମୀର ଠାରୁ ‘ଇଭିଏମ୍‌ର ପର୍ଦାଫାସ୍‌ ପରିବର୍ତ୍ତନ ଯାତ୍ରା’ ଆରମ୍ଭ ହୋଇଥିବା ସେ ସୂଚନା ଦେଇଥିଲେ।

ସେ ଅଭିଯୋଗ କରିଥିଲେ କି ବିଭିନ୍ନ ଦେଶରେ ଇଭିଏମ୍‌ ବନ୍ଦ କରାଯାଉଥିବା ବେଳେ ଭାରତରେ ପ୍ରଚଳନ କରି କଂଗ୍ରେସ ୨୦୦୪ ମସିହାରେ ଘୋଟାଲା କରି ଫାଇଦା ଉଠାଇଥିଲା। ୨୦୧୩ ମସିହାରେ ଏଭିଏମ୍‌ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ଇଭିଏମ୍‌ ଦ୍ବାରା ମୁକ୍ତ ଓ ସ୍ବଚ୍ଛ ନିର୍ବାଚନ ହୋଇ ପାରିବ ନାହିଁ। ପରେ ଏହି ମେସିନ୍‌ରେ ଭିଭିପ୍ୟାଟ୍‌ ସଂଲଗ୍ନ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ୨୦୧୪ ନିର୍ବାଚନରେ ନାଗାଲାଣ୍ଡ ଓ ମିଜୋରାମ୍‌ରେ କେବଳ ଭିଭିପ୍ୟାଟ୍‌ ବ୍ୟବହୃତ ହେଲା। ଇଭିଏମ୍‌ ଭିତରେ ଘୋଟାଲା ଥିବାରୁ ନିର୍ବାଚନ ଆୟୋଗ ୨୦୧୪ ମସିହାରେ ୯ ଲକ୍ଷ ମେସିନ୍‌କୁ ସ୍କ୍ରାପ୍‌ ବୋଲି ‌ଘୋଷଣା କରିଥିଲେ। ୧୫ ବର୍ଷ ପରେ ଇଭିଏମ୍‌ ବ୍ୟବହାର ଅନୁପଯୋଗୀ ହୋଇ ଯାଉଥିବାରୁ ଏଭଳି କରାଯାଇଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିଥିଲା। କିନ୍ତୁ ୧୫ ବର୍ଷରେ ଇଭିଏମ୍‌ ସ୍କ୍ରାପ୍‌ ହୋଇଯିବ ବୋଲି କିଏ ଘୋଷଣା କରିଥିଲା ତାହାର ପ୍ରମାଣ ଆଜି ଯାଏ ମିଳୁନାହିଁ। ଏଣୁ ଇଭିଏମ୍‌ ଜରିଆରେ ହିଁ ଜିତିବା ହାରିବା ଖେଳ ଚାଲିଛି। ଧରାପଡ଼ିବା ଭୟରେ ଭିଭିପ୍ୟାଟ୍‌ ଭୋଟ ଗଣତି କରାଯାଉ ନାହିଁ ବୋଲି ମୋର୍ଚ୍ଚା ଅଭିଯୋଗ କରିଛି।

By amfnews

Related Post