Wed. Mar 11th, 2026

ଭାରତ ବିରୋଧରେ କାର୍ଯ୍ୟ କରିଥିବା ୩୧୨ ଜଣଙ୍କୁ ସରକାର ଦେଲେ ଆଶ୍ୱସ୍ତି

165 Views

ନୂଆଦିଲ୍ଲୀ  :  ବିଦେଶରେ ରହି ଭାରତ ବିରୋଧରେ କାର୍ଯ୍ୟ କରୁଥିବା ଶିଖ୍‌ ସଂପ୍ରଦାୟର ଲୋକଙ୍କୁ ସରକାର ଆଶ୍ୱସ୍ତି ଦେଇଛନ୍ତି। ଭାରତ ବିରୋଧରେ କାର୍ଯ୍ୟ କରୁଥିବାରୁ ସରକାର ଦୀର୍ଘ ବର୍ଷ ହେଲାଣି ୩୧୪ ଜଣଙ୍କୁ କଳାତାଲିକା ଭୁକ୍ତ କରିଥିଲେ। ହେଲେ ଏବେ ସେମାନଙ୍କ ମଧ୍ୟରୁ ୩୧୨ ଜଣଙ୍କ ନାଁକୁ ସରକାର କଳା ତାଲିକାରୁ ବାଦ୍‌ ଦେଇଛନ୍ତି। ଅର୍ଥାତ ଏବେ କେବଳ ୨ ଜଣ ବିଦେଶୀ ଶିଖ୍‌ ହିଁ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ସରକାର ହୃଦୟଙ୍ଗମ କରିଛନ୍ତି।

ସେଣ୍ଟ୍ରାଲ ଆଡର୍ଭସ ଲିଷ୍ଟ ବା କଳାତାଲିକାରେ ଥିବା ନାଁଗୁଡ଼ିକ ଉପରେ ବିଭିନ୍ନ ସୁରକ୍ଷା ଏଜେନ୍ସି ତର୍ଜମା କରିଥିଲେ। ବାସ୍ତବରେ ଏହି ଶିଖ୍‌ ବିଦେଶୀ ନାଗରିକ ମାନେ ଭାରତ ବିରୋଧରେ କାର୍ଯ୍ୟ କରୁଛନ୍ତି କି ନାହିଁ ସେମାନେ ସେଗୁଡ଼ିକର ସମୀକ୍ଷା କରିଥିଲେ। ଏହାପରେ ଏମାନଙ୍କୁ ମଧ୍ୟରୁ ୩୧୨ ଜଣ କୌଣସି ପ୍ରକାରର ଭାରତ ବିରୋଧୀ କାର୍ଯ୍ୟରେ ବର୍ତ୍ତମାନ ଲିପ୍ତ ନଥିବା ଜଣାପଡ଼ିଥିଲା।

ଏହାପରେ ଏମାନଙ୍କୁ ସରକାର ଭାରତ ଆସିବା ପାଇଁ ଭିସା ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ଏବେ ଏହି ବ୍ୟକ୍ତିବିଶେଷମାନେ ଭାରତରେ ରହୁଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କ ପାଖକୁ ଆସି ଯୋଗାଯୋଗ କରିପାରିବେ। କାରଣ ଏମାନଙ୍କ ନାଁ କଳାତାଲିକାରେ ଥିବାରୁ ସେମାନଙ୍କୁ ଭାରତ ଆସିବାକୁ ଅନୁମତି ମିଳୁ ନଥିଲା।

୧୯୮୦ରେ ଅନେକ ଭାରତୀୟ ଶିଖ୍‌ ଓ ବିଦେଶର ଶିଖ୍‌ ସଂପ୍ରଦାୟର ଲୋକମାନେ ଭାରତ ବିରୋଧୀ ଅପପ୍ରଚାରରେ ସାମିଲ ହୋଇଥିଲେ। କିଛି ଭାରତୀୟ ଶିଖ୍‌ ଗିରଫ ଭୟରେ ମଧ୍ୟ ଦେଶ ଛାଡ଼ି ଚାଲିଯାଇଥିଲେ। ସେମାନେ ସେଠାରେ ବିଦେଶୀ ନାଗରିକତ୍ୱ ଗ୍ରହଣ କରିଥିଲେ। ୨୦୧୬ ଯାଏ ଏମାନଙ୍କୁ କଳାତାଲିକାରେ ସାମିଲ କରାଯାଇଥିଲା। ଧୀରେଧୀରେ ଏମାନଙ୍କ ମଧ୍ୟରୁ ୩୧୨ ଜଣଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି।

By amfnews

Related Post