ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ନିଜର ସହଯୋଗୀମାନଙ୍କ ଦ୍ବାରା ଗୁଳି ଖାଇଥିବା ଜଣେ ଆତଙ୍କବାଦୀ ମୁହଁରୁ ବାହାରିଥିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି।ଉକ୍ତ ଆତଙ୍କବାଦୀକୁ ତାର ସହଯୋଗୀମାନେ ଗୁଳି କରି ସେଠାରୁ ପଳାଇଥିଲେ । କିନ୍ତୁ ପେଟ୍ରୋଲିଂ କରୁଥିବା ଭାରତୀୟ ଯବାନମାନେ ସେହି ଆହତ ଆତଙ୍କବାଦୀକୁ ଦେଖି ତାକୁ ତୁତକ୍ଷଣାତ୍ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ । ଭାରତୀୟ ଯବାନଙ୍କ ଏଭଳି ମାନବିକତା ଦେଖି ଆହତ ହୋଇଥିବା ଆତଙ୍କବାଦୀଜଣକ କହିଥିଲା ‘ ଆପଣମାନଙ୍କ ଭଳି ମୋର ବି ଯବାନ ହେବାର ଥିଲା’।
ଆହତ ଆତଙ୍କବାଦୀର ନାମ ଆରିଫ ହୁସେନ ବଟ । ସେ ସ୍ବୀକାର କରିଛି ଯେ ତାକୁ ହିଜବୁଲ ଏବଂ ଲଶ୍କରର ଆତଙ୍କବାଦୀମାନେ ସେନା ଉପରେ ଆକ୍ରମଣ କରିବା ପାଇଁ ଏକ ବୈଠକକୁ ଡାକିଥିଲେ । ବୈଠକ ଶେଷ ହେବା ପରେ ଯେତେବେଳେ ସେ ଏବଂ ତାର ସହଯୋଗୀ ଆଦିଲ ଅହମ୍ମଦ କ୍ୟାମ୍ପକୁ ଯାଉଥିଲେ, ସେହି ସମୟରେ ଅନ୍ୟ ଆତଙ୍କବାଦୀମାନେ ତାକୁ ଘେରିଯାଇଥିଲେ । ପ୍ରଥମେ ଅନ୍ୟ ଆତଙ୍କବାଦୀମାନେ ଆହିଲକୁ ଗୁଳି ମାରିଥିଲେ । ସେ ଯେତେବେଳେ ଅନ୍ୟ ଆତଙ୍କବାଦୀଙ୍କୁ ରୋକିବାକୁ ଚାହୁଁଥିଲା ସେତେବେଳେ ତାକୁ ମଧ୍ୟ ଗୁଳିମାଡ କରାଯାଇଥିଲା ।
ଏହାପରେ ତାକୁ ଗୁରୁତର ଅବସ୍ଥାରେ ଛାଡି ଅନ୍ୟ ଆତଙ୍କବାଦୀମାନେ ପଳାଇଥିଲେ । ଏହି ସମୟରେ ସେହି ରାସ୍ତାରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିଲେ । ଯବାନଙ୍କ ନଜର ଆରିଫ ଉପରେ ପଡିଥିଲା । ଏହାପରେ ଯବାନମାନେ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।