Fri. Mar 6th, 2026

ଭାରତୀୟ ବାୟୁସେନାର ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ: ଅଳ୍ପକରେ ବର୍ତ୍ତିଲେ ପାଇଲଟ

302 Views

ଲକ୍ଷ୍ନୌ/ ନୂଆଦିଲ୍ଲୀ ,ଜାନୁଆରୀ ୨୮ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ ୩୦୦ କିଲୋମିଟର ଦୂର ଖୁସିନଗର ଠାରେ ଆଜି ପୂର୍ବାହ୍ନରେ ଭାରତୀୟ ବାୟୁସେନାର ଏକ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ନିଆଁ ଲାଗିଯିବା ଫଳରେ ଜାଗୁଆର ବିମାନଟି ସଂପୂର୍ଣ୍ଣ ରୂପେ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ତେବେ, ସୌଭାଗ୍ୟକ୍ରମେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଭାବେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

ବର୍ଷକ ମଧ୍ୟରେ ଭାରତୀୟ ବାୟୁସେନାର ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଗତ ଜୁନ୍‌ ମାସରେ ସମାନ ଢ଼ଙ୍ଗରେ ଅନ୍ୟ ଏକ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ପୂର୍ବାହ୍ନରେ ଉତ୍ତରପ୍ରଦେଶର ଗୋରଖପୁର ଏୟାରବେସ୍‌ରୁ ଏକ ଟ୍ରେନିଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସଂପୃକ୍ତ ଜାଗୁଆର ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏଥିରେ ନିଆଁ ଲାଗି ଯାଇଥିଲା। ପରେ ବିମାନଟିରେ ବିସ୍ଫୋରଣ ଘଟିବା ସହ ବିମାନଟି ତଳକୁ ଖସି ପଡ଼ିଥିଲା। ଏବଂ ଜନବସତି ଠାରୁ ଅଳ୍ପ ଦୂରରେ ଥିବା ଏକ ଖୋଲା ସ୍ଥାନରେ ପଡ଼ିଥିଲା।
View image on Twitterତେବେ, ବିସ୍ଫୋରଣ ଘଟି ବିମାନଟି ତଳକୁ ଖସିବା ପୂର୍ବରୁ ବିମାନର କକ୍‌ପିଟରେ ଥାଇ ବିମାନର ଉଡ଼ାଣ ଭରୁଥିବା ପାଇଲଟ ଜଣକ ପାରାଚୁଟ୍‌ ବ୍ୟବହାର କରି କକ୍‌ପିଟରୁ ବାହାରି ତଳକୁ ଡେଇଁ ପଡ଼ିବା ଫଳରେ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତି ଯାଇଥିଲେ। ଏହି ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

By amfnews

Related Post