Sat. Nov 23rd, 2024

ଭସାଣୀ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୬ ଆହତ, ଥାନାରେ ମାମଲା

By amfnews Nov 1, 2018 #Featured
100 Views

ରାଉରକେଲା, ୩୧ା୧୦  : ଗଜଲକ୍ଷ୍ମୀ ପୂଜା ମେଢ ଭସାଣୀ ବେଳେ ଦୁଇ ଗୋଷ୍ଠୀ ଭିତରେ ରକ୍ତାକ୍ତ ସଂଘର୍ଷ ଘଟିଛି । ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ ଲାଠି ମାଡ଼ କରିଛିି । ଏଥିରେ ୩ ଜଣ ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ପୁଲିସ୍ ଲାଠିମାଡ଼ରେ ୬ ଜଣ ଯୁବକ ଆହତ ଚିକିତ୍ସାଧିନ ଥିବା ବେଳେ ଗଣ୍ଡଗୋଳକାରୀଙ୍କ ଆକ୍ରମଣରେ ଜଣେ ପୁଲିସ ଅଧିକାରୀ, ଜଣେ ଡିଭିଏଫ୍ ଯବାନ ଓ ଜଣେ ହୋମଗାର୍ଡ଼ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ରଘୁୁନାଥପାଲି ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ ବାଲୁଘାଟ ବ୍ରାହ୍ମଣୀ ନଦୀରେ ଗଜଲକ୍ଷ୍ମୀ ମେଢ଼ ଭସାଣୀ ଉତ୍ସବ ଚାଲିଥିଲା । ତେବେ କୌଣସି କାରଣକୁ ନେଇ ଏସ୍ଟିଆଇ ଏବଂ ଲେବର ଟେନାମେଣ୍ଟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ୍ ହୋଇଥିଲା । ଭସାଣୀ ଉତ୍ସବରେ ସାମିଲ୍ ଥିବା ଯୁବତୀମାନଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଭାଷା ବ୍ୟବହାରକୁ ନେଇ ଗୋଟିଏ ଗୋଷ୍ଠୀର ଯୁବକ ଉତ୍କ୍ଷିପ୍ତ ହୋଇ ମାର୍ପିଟ ଆରମ୍ଭ କରିଥିଲେ । ଏସ୍ଟିଆଇ ବସ୍ତିବାସୀଙ୍କ କହିବା ଅନୁଯାୟୀ ଭସାଣୀ ବେଳେ ଲେବର ଟେନାମେଣ୍ଟର କିଛି ଅସାମାଜିକ ଯୁବକ ମଦ୍ୟପାନ କରି ଏସ୍ଟିଆଇର ଯୁବତୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଏହାକୁ ଏସ୍ଟିଆଇର ଯୁବକ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଉଭୟ ଗୋଷ୍ଠୀକୁ ବୁଝାସୁଝା କରି ଘଟଣାର ସମାଧାନ କରିବାକୁ ଉଦ୍ୟମ କରିଥିଲା ।

କିନ୍ତୁ କେହି ବୁଝିବାକୁ ପ୍ରସ୍ତୁତ ନଥିଲେ । ଘଟଣାକୁ ନିୟନ୍ତ୍ରଣ କରିବାକୁୁ ପୁଲିସ ଲାଠିଚାଳନା କରାଯାଇଥିଲା । ଏଥିରେ ଏସ୍ଟିଆଇ ଗଜଲକ୍ଷ୍ମୀ ପୂଜା କମିଟିର ଦିଲୀପ ସୁନା, ଜିତେନ୍ଦ୍ର ମହାନନ୍ଦ, ପ୍ରକାଶ ପାତ୍ର ପ୍ରମୁଖ ଆହତ ହୋଇଥିଲେ । ପୁଲିସ୍ ମାଡରେ ଆହତ ଯବକଙ୍କୁ ରାତିରେ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । କିଛି ସମୟ ପରେ ବସ୍ତିର କିଛି ମହିଳା ଓ ପୁରୁଷ ଆସି ଡାକ୍ତରଖାନାରେ ପହଞ୍ôଚବା ଫଳରେ ସେଠାରେ ଉପସ୍ଥିତ ପୁଲିସ୍ କର୍ମଚାରୀଙ୍କୁ ବିରୋଧ କରିବାରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ଉତ୍ତେଜନା ବେଳେ ଗଣ୍ଡଗୋଳକାରୀଙ୍କ ଆକ୍ରମଣରେ ଆର୍ଜିଏଚ୍ ଫାଣ୍ଡି ଅଧିକାରୀ, ଜଣେ ଡିଭିଏଫ୍ ଯବାନ ଓ ଅନ୍ୟ ଜଣେ ହୋମଗାର୍ଡ଼ ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଉପସ୍ଥିତ ମହିଳାମାନଙ୍କୁ ପୁରୁଷ ପୁଲିସ୍ କର୍ମଚାରୀମାନେ ଟଣାଓଟରା କରିଥିବା ଏସ୍ଟିଆଇ ବସ୍ତିର ଲୋକେ ଅଭିଯୋଗ କରିଛନ୍ତି । ଏସ୍ଟିଆଇ ଗୋଷ୍ଠୀ ରାଉରକେଲା ଏସ୍ପି ଡ. ଊମାଶଙ୍କର ଦାଶଙ୍କୁ ସାକ୍ଷାତ କରି ରଘୁନାଥପାଲି ଥାନା ଅଧିକାରୀଙ୍କୁ ବଦଳି କରିବାକୁ ଦାବି କରିଥିବା ବେଳେ ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ତେବେ ମହିଳାମାନଙ୍କୁ ପୁଲିସ ପକ୍ଷରୁ କୌଣସି ପ୍ରକାରର ଅସଦ୍ ବ୍ୟବହାର କରାଯାଇ ନାହିଁ । ପୁଲିସ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଥାନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଗଣ୍ଡଗୋଳକାରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

By amfnews

Related Post