Fri. Mar 6th, 2026

ଭଦ୍ରକରୁ ୫ ଓ ବାଲେଶ୍ୱରରୁ ୨ କରୋନା ପଜିଟିଭ ଚିହ୍ନଟ

271 Views

ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୫ ଜଣ ଭଦ୍ରକର ଓ ୨ ଜଣ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ନିକଟରେ କେନ୍ଦ୍ର ସରକାର ୧୪ ଦିନ ହେଲା ଓଡ଼ିଶାର ପୁରୀ ଓ ଭଦ୍ରକରୁ କୌଣସି କରୋନା ରୋଗୀ ଚିହ୍ନଟ ହୋଇ ନଥିବା କହିଥିଲେ। ତେବେ ଏହି ଘୋଷଣାର ଦୁଇ ଦିନ ପରେ ଅର୍ଥାତ ଦୀର୍ଘ ୧୬ ଦିନ ପରେ ଭଦ୍ରକରୁ ଏକାଥରକେ ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ବାସୁଦେବପୁରରୁ ତିନି ଜଣ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବାସୁଦେବପୁରର ବିନାୟକପୁର, ପଦମପୁର ଓ ଲକ୍ଷ୍ମୀଦାସପୁରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିନାୟକପୁରର ସୁକଦେବପୁର, ବେକମୁଡ଼ି, ଶିଶୁମନ୍ଦିର ଛକ ,କାଳିଆପଦା ମେଲଣ ପଡ଼ିଆ ଓ ଚିରୋଲ ଛକକୁ ସିଲ୍ କରି ଦିଆଯାଇଥିବା ବେଳେ ପଦମପୁର ପଞ୍ଚାୟତର ଶରତପୁର, ମେଳକ ସାହି, ରୁକୁଣାଦେଇପୁର ଓ ସାନଅଗାପୁର ଛକକୁ ସିଲ୍‌ କରି ଦିଆଯାଇଛି। ଲକ୍ଷ୍ମୀଦାସପୁରର ଭାଗିରଥୀ ବଳ, କୋଷ୍ଟ କେନାଲ, ଷଣ୍ଢଗଡ଼ା ଛକ ,ବୟାଳିଶବିନ୍ଧା, ଅଯୋଧ୍ୟାପଡ଼ା, ପାରାକୋଟ କେନାଲ ଛକ,ଜୟକୃଷ୍ଣପୁର ଛକ ଓ ସାନ ଜଗନ୍ନାଥପୁର ଛକକୁ  ମଧ୍ୟ ସିଲ୍ କରି ଦିଆଯାଇଛି।  ସେହିପରି ଭଣ୍ଡାରିପୋଖରୀରେ ଦୁଇ  ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ରହଣିଆ ଓ ତେସିଙ୍ଗା ପଞ୍ଚାୟତର ସମସ୍ତ ୨୨ଟି ରାଜସ୍ୱ ଗାଁକୁ  ସିଲ୍‌ କରି ଦିଆଯାଇଛି।

ତେବେ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ପାଞ୍ଚ ଜଣ କରୋନା ଆକ୍ରାନ୍ତ ପୁରୁଷ ବ୍ୟକ୍ତି। ଆକ୍ରାନ୍ତ ୫ ଜଣଙ୍କ ବୟସ ଯଥାକ୍ରମେ- ୪୮, ୫୫, ୫୭, ୫୮ ଓ ୬୬ ବର୍ଷ ବୋଲି ଜଣାପଡ଼ିଛି। ଏହି ୫ ଜଣଙ୍କୁ ମିଶାଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ପୂର୍ବରୁ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱରେ ଚିହ୍ନଟ ହୋଇଥିବା ୨ ଜଣ କରୋନା ରୋଗୀଙ୍କ ମଧ୍ୟରୁ ଜଣେ ୩୨ ବର୍ଷୀୟ ଯୁବକ ଓ ଅନ୍ୟ ଜଣେ  ଦୁଇ ବର୍ଷର ଶିଶୁ  କନ୍ୟା ବୋଲି ଜଣାପଡ଼ିଛି।  କିନ୍ତୁ ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ପୂର୍ବରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି।

ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ସେମାନେ କେମିତି ଆକ୍ରାନ୍ତ ହେଲେ? କାହା ସମ୍ପର୍କରେ ଆସି ଆକ୍ରାନ୍ତ ହେଲେ କିମ୍ବା ସେ ବିଦେଶ ଫେରନ୍ତାକି ନାହିଁ ସେ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିରୀକ୍ଷଣ ଚାଲିଛି।

ଆଜିର ୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ରୋଗୀଙ୍କ ସଂଖ୍ୟା ୬୮ରେ ପହଞ୍ଚିଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଏଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି।

By amfnews

Related Post