Tue. Jan 14th, 2025

ଭଟ୍ଟାରିକା ମନ୍ଦିରରେ ୮ ଫୁଟ ବନ୍ୟା ଜଳ, ପାହାଡ଼ ଉପରକୁ ସ୍ଥାନାନ୍ତରିତ ହେଲେ ଚଳନ୍ତି ପ୍ରତିମା

By amfnews Aug 29, 2020 #Featured
181 Views

କଟକ, ଅଗଷ୍ଟ ୨୯ : କଟକ ଜିଲ୍ଲାର ବଡ଼ମ୍ବା ନିକଟ ମା’ ଭଟ୍ଟାରିକା ମନ୍ଦିର ପରିସରେ ୮ ଫୁଟ ଉଚ୍ଚରେ ମହାନଦୀର ବନ୍ୟା ପାଣି ପ୍ରବାହିତ ହେଉଛି । ବନ୍ୟା ଜଳ ଗତକାଲି ରାତିରେ ପ୍ରବେଶ କରିବା ପରେ ମନ୍ଦିରର ସେବାୟତମାନେ ଯେକୌଣସି ପ୍ରକାରରେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରି ମା’ଙ୍କ ଚଳନ୍ତି ପ୍ରତିମାକୁ ପାହାଡ଼ ଉପରକୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି । ଫଳରେ ଆଜି ମା’ଙ୍କ ନୀତିକାନ୍ତିରେ ବିଳମ୍ବ ଘଟିଛି ।

ସୂଚନାଯୋଗ୍ୟ ହୀରାକୁଦ ଡ୍ୟାମରୁ ଏବେ ୪୨ଟି ଗେଟ ଦେଇ ଜଳ ପ୍ରବାହିତ ହେଉଛି । ଡ୍ୟାମର ଜଳ ମହାନଦୀକୁ ନିଷ୍କାସିତ ହେବା ପରେ ତଳିଆ ଅଂଚଳରେ ବନ୍ୟା ସ୍ଥିତି ଉପୁଜିଛି । ଆଠଗଡ଼, ବାଙ୍କୀ, ତିଗିରିଆର ଅନେକ ଅଂଚଳେ ଜଳାର୍ଣ୍ଣବ ହୋଇଛି । ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀ ଜଳ କଟକ ଜିଲ୍ଲାକୁ ଭଟ୍ଟାରିକା ଠାରେ ସ୍ପର୍ଶ କରିଛି ।

ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି । ମାତ୍ର ତଳପଟରେ ବର୍ଷା ଛାଡ଼ି ଯାଇଥିବାରୁ ଉପନଦୀଗୁଡ଼ିକରେ ପୂର୍ବାପେକ୍ଷା ବନ୍ୟା ଜଳ କମ ଆସୁଛି ।  ମହନଦୀରେ ଜଳ ସ୍ତର ବଢ଼ିଥିବାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି ।

By amfnews

Related Post