Wed. Mar 11th, 2026

ଭଙ୍ଗା ଦଦରା ଘରେ କଟୁଛି ଜୀବନ, ପକ୍କା ଘର ସାତ ସପନ

208 Views

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଉଫେର ଗାଁର ରବି ସେଠୀ। ବୟସ ୮୦ ଛୁଇଁଲାଣି। ଅଣ୍ଟା ସଳଖିବାକୁ ବଳ ନାହିଁ। ପରିଣତ ବୟସରେ ଭଙ୍ଗା ଦଦରା ଘରେ ଏକୁଟିଆ ପଡ଼ି ରହିଛନ୍ତି ।  ପାଖରେ ଆହା ପଦେ କହିବାକୁ କେହି ନାହିଁ।  ସରକାରଙ୍କଠାରୁ ଘର ଖଣ୍ଡେ ପାଇବା ଆଶାରେ ରବିଙ୍କ ସ୍ତ୍ରୀ ଦୁଇ ବର୍ଷ ହେଲା ଆରପାରିକୁ ଚାଲିଗଲେ ସିନା ତାଙ୍କ ସ୍ୱପ୍ନ ପୂରଣ ହୋଇ ପାରିଲା ନାହିଁ।

ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ସାପ ବେଙ୍ଗଙ୍କ ସହିତ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ରବି। ସରକାରଙ୍କ ତରଫରୁ ତାଙ୍କୁ କେବଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ତାହା ସମୁଦ୍ରକୁ ଶଙ୍ଖେ। ଏବେ ଆଉ ଖଟିବାକୁ ଦେହରେ ବଳ ନାହିଁ, କି ଜୁ ନାହିଁ। ପାଖ ପଡ଼ୋଶୀ ଯାହା ଖାଇବାକୁ ଦେଉଛନ୍ତି ତାହା ଖାଇ ରହିଛନ୍ତି। ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହକ୍‌ଦାର ଥିଲେ ବି ସରକାରଙ୍କ  ତ୍ରୁଟି ଯୋଗୁ ସେ ତାହା ପାଇପାରୁ ନାହାନ୍ତି। ଏଥିନିମନ୍ତେ ସେ ବିଡିଓଙ୍କ ସମେତ ଜିଲ୍ଲାପାଳଙ୍କୁ  ଗୁହାରୀ କରିଥିଲେ ମଧ୍ୟ କେହି ତାଙ୍କ ଦୁଃଖ କଥା ଶୁଣି ନାହାନ୍ତି। ଅସହାୟ ବୃଦ୍ଧ ରବି ସେଠୀ କହିଛନ୍ତି,“ଘରେ ଏବେ ସାପ ରହୁଛନ୍ତି। ସମସ୍ତଙ୍କୁ ଘର ମିଳୁଛି, ହେଲେ ମୋତେ ଦେଉ ନାହାନ୍ତି।”

ରବିଙ୍କ ପଡ଼ୋଶୀ କୁମୁନ୍ଦ ଚନ୍ଦ୍ର ସାହୁ କହିଛନ୍ତି,“ବିଜେଡି ସରକାର ୨୦ ବର୍ଷ ହେଲାଣି ଶାସନ କରୁଛି। ଅନେକ ପ୍ରକାର ଯୋଜନା ମଧ୍ୟ କରିଛି। ହେଲେ ସରକାର ଅଛି ନା ନାହିଁ ଆମେ ଜାଣି ପାରୁ ନାହୁଁ। ସବୁ ଧନୀମାନେ ଘର ପାଉଛନ୍ତି ହେଲେ ରବି ସେଠୀ ଗରିବ ହୋଇ ମଧ୍ୟ  ଘର ପାଉ ନାହିଁ। ତା’ ଘର ଦୁଇ ବର୍ଷ ହେବ ଭୁଶୁଡ଼ି ପଡ଼ିଛି। ତହସିଲଦାରଙ୍କ ସହ ଅନେକ ଅଫିସର ଆସି ଚେକିଂ କରି ଗଲେଣି। ହେଲେ ଆଜି ପର୍ଯ୍ୟନ୍ତ ସେ ଘର ଟିଏ ପାଇ ପାରିଲେ ନାହିଁ। ”

କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି,“ ପ୍ରବଳ ବର୍ଷାରେ ଘର ଭାଙ୍ଗିଥିବା ନେଇ ସମସ୍ତ ରାଜସ୍ୱ ନୀରିକ୍ଷକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ଥିବ। ତଥାପି ଆମେ ତଦନ୍ତ କରିବୁ। ଘର ଭାଙ୍ଗିବା ନେଇ ତଦନ୍ତ ହେବା ପରେ ନିଶ୍ଚିତ ଭାବେ ସହାୟତା ଦିଆଯିବା ନେଇ ବ୍ୟବସ୍ଥା କରିବୁ।”

By amfnews

Related Post