କଳାହାଣ୍ଡି, ନଭେମ୍ବର, ୬ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବେଡ଼ାଗାଁ ପଞ୍ଚାୟତର କୁମ୍ଭାର ବାରୁ ଗାଁର ନାଥ ମାଝୀ (୩୦)ଙ୍କୁ ତାର ବଡ଼ଭାଇ ରିଗେ ମାଝୀ (୩୫) ଟାଙ୍ଗିଆରେ ହାଣି ହତ୍ୟା କରିଛି। ପ୍ରକାଶ ଯେ କିଛି ଦିନ ତଳେ ନାଥ ମାଝୀ ଓ ରିଗେ ମାଝୀ ନିଜ ଭଉଣୀଙ୍କ ବାହାଘର କରିଥିଲେ ହେଲେ ଭୋଜି ଦେବା ବାକି ଥିଲା। ଗତକାଲି ଭଉଣୀ ଓ ଭିଣୋଇ ଘରକୁ ଆସିବାରୁ ଦୁଇ ଭାଇ ଭୋଜିର ଆେୟାଜନ କରିଥିଲେ।
ଭୋଜି ସରିବା ପରେ ଭଉଣୀ ଓ ଭିଣୋଇ ଘରକୁ ଫେରି ଯାଇଥିଲେ। ପରେ ଭୋଜି ଖର୍ଚ୍ଚକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏହି ସମୟରେ ରିଗେ ମାଝୀ ରାଗି ଯାଇ ସାନ ଭାଇ ନାଥ ମାଝୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟଟି ନାଥ ମାଝୀଙ୍କ କାନମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା।
ଆଜି ନାଥ ମାଝୀଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝି ଥାନାକୁ ଆସି ଏକ ଲିଖିତ ଅଭିଯୋଗ କଲା ପରେ ବିଶ୍ବନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଲାଞ୍ଜିଗଡ଼ ପଠାଇଛି। ବଡ଼ ଭାଇ ରିଗେ ମାଝୀଙ୍କୁ ଥାନାରେ ଅଟକ ରଖି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି ବିଶ୍ବନାଥପୁର ଥାନା ଅଧିକାରୀ କାନୁଚରଣ ସ୍ବାଇଁ ପ୍ରକାଶ କରିଛନ୍ତି।

