Fri. Mar 6th, 2026

ବଡ଼ଭାଇ ନେଲା ସାନର ଜୀବନ

289 Views

ଢେଙ୍କାନାଳ : ସମ୍ପତ୍ତି ଭାଗ ବଣ୍ଟା ପାଇଁ ନିଜ ମା’ ପେଟର ବଡ଼ ଭାଇ ନେଲା ସାନ ଭାଇର ଜୀବନ। ଖଟ ଖୁରା କାଠ ଫାଳିଆ ଏବଂ ଲୁହା ଛଡ଼ରେ ପିଟିପିଟି ରାତିରେ ହତ୍ୟା କରିଛି। ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁରରେ ଗତ ରାତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ଆଜି ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ ଭାଇ ଦୀପକ ମଲ୍ଲିକ(୪୭) ଜେରା ବେଳେ ସତ କଥା ମାନିଯାଇଥିବା ପୁଲିସ କହିଛି। ସାନଭାଇ ପ୍ରଦୀପ ମଲ୍ଲିକ(୪୦)ଙ୍କ ମୃତ ଦେହକୁ ପୁଲିସ ଜବତ କରିଛି।

ପୁଲିସ ସୂଚନା ମୁତାବକ, ମୃତ ପ୍ରଦୀପ ଗୋବିନ୍ଦପୁର ଛକରେ ଏକ ଚା ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ଅଭିଯୁକ୍ତ ବଡ଼ ଭାଇ ଦୀପକ ମୂଲ ମଜୁରି କରି ପରିବାର ପ୍ରତିପୋଷଣ କରନ୍ତି। ଉଭୟଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ତିକ୍ତ ଥିଲା। କିଛି ଦିନ ତଳେ ଉଭୟଙ୍କର ପୈତୃକ ଜମି ଏନ୍‌ଟିପିସି ଦ୍ୱାରା ଅଧିଗ୍ରହଣ ହୋଇଥିଲା। କ୍ଷତିପୂରଣ ବାବଦକୁ ମିଳିଥିବା ଟଙ୍କା ଦୁଇ ଭାଇ ନିଜ ମଧ୍ୟରେ ଭାଗ ବାଣ୍ଟି ନେଇଥିଲେ। କିନ୍ତୁ ସାନ ଭାଇ ପ୍ରଦୀପ ଅଧିକ ଟଙ୍କା ନେଇ ଯାଇଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡ଼ା ଓ ଗଣ୍ଡଗୋଳ ଲାଗି ରହୁଥିଲା ବୋଲି ଦୀପକ ପୁଲିସ ନିକଟରେ କହିଛି।

ଅନ୍ୟପକ୍ଷରେ ଘରୋଇ ଗଣ୍ଡଗୋଳ ପାଇଁ ୩ଦିନ ତଳେ ମୃତ ପ୍ରଦୀପଙ୍କ ସ୍ତ୍ରୀ ଲିପି ତାଙ୍କ ବାପ ଘର ବାଙ୍କି ନୂଆଗାଁକୁ ଯାଇଥିଲେ। ମା’ ଦେହ ଅସୁସ୍ଥ ଥିବାରୁ ଦୀପକ ୬ଦିନ ହେଲା ଢେଙ୍କାନାଳ ମେଡ଼ିକାଲରେ ଥିଲେ। ଶନିବାର ରାତି ପ୍ରାୟ ୧୧ଟା ବେଳେ ଦୀପକ ମେଡିକାଲ୍‌ରୁ ଘରକୁ ଫେରିଥିଲେ। ଏନ୍‌ଟିପିସି ଟଙ୍କାକୁ ନେଇ ସାନ ଭାଇ ପ୍ରଦୀପଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଦୀପକ ଖଟ ଖୁରା କାଠ ଫାଳିଆ ଏବଂ ଲୁହା ଛଡ଼ରେ ପ୍ରଦୀପଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ଘଟିଥିଲା।

By amfnews

Related Post