Mon. Jan 6th, 2025

ବଡ଼ଦିନ ପାଇଁ ଇସ୍ପାତ ସହର ଉତ୍ସବମୁଖର

By amfnews Dec 26, 2018 #Featured
153 Views

ରାଉରକେଲା, ୨୬ା୧୨ : ବଡ଼ଦିନ ପାଳନ ପାଇଁ ଇସ୍ପାତ ସହର ଉତ୍ସବମୁଖର ହୋଇପଡିଛି । ପ୍ରଭୁ ଯୀଶୁ ମଧ୍ୟରାତ୍ରୀରେ ଧରାବତରଣ କରିଛନ୍ତି । ସେଥିପାଇଁ ପ୍ରାକ୍ ପ୍ରସ୍ତୁତି ହେବା ସହ ସନ୍ଧ୍ୟାରୁ ଚର୍ଚ୍ଚମାନଙ୍କରେ ଭିଡ ଜମିଥିଲା । ପବିତ୍ର କାର୍ଯ୍ୟକ୍ରମ ପରେ ଶ୍ରଦ୍ଧାଳୁମାନେ ଯୀଶୁ ଜନ୍ମ ନେଇଥିବା ମେଣ୍ଢାଶାଳରେ ଆର୍ଶୀବାଦ ପ୍ରାର୍ଥନା କରିଥିଲେ । ଏହପରେ ପ୍ରଭୁଙ୍କ ଜନ୍ମ ବୃତ୍ତାନ୍ତ ପାଠ କରାଯାଇଥିଲା ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ପ୍ରାର୍ଥନା ସଭାରେ ଧର୍ମଯାଜକ ଯୀଶୁଙ୍କ ଜନ୍ମ ସମ୍ପର୍କରେ ବିଭିନ୍ନ ଉଦାହରଣମାନ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅଟାରେ ପ୍ରସ୍ତୁତ ପବିତ୍ର ରୁଟି ଓ ଫଳରସ ପ୍ରଭୁଙ୍କୁ ଅର୍ପଣ ପୂର୍ବକ ବଧାଇ ପର୍ବ ଆରମ୍ଭ ହୋଇଥିଲା । ଚର୍ଚ୍ଚମାନଙ୍କରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶୁଭେଚ୍ଛା ବାର୍ତ୍ତା ଓ ଭାବର ଆଦାନପ୍ରଦାନ ହୋଇଥିଲା । ଏଥିପାଇଁ ପରସ୍ପର ମଧ୍ୟରେ ପିଠା, କେକ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଘରକୁ ଘର ସାନ୍ତାକ୍ଲୁଜ୍ ଯାଇ ପିଲାମାନଙ୍କୁ ଉପହାରମାନ ବଣ୍ଟନ କରିଥିଲେ ।

ସହରର ପୁରାତନ କ୍ୟାଥୋଲିକ ଚର୍ଚ୍ଚ ହମିରପୁର ଠାରେ ଯୀଶୁ, ଆକର୍ଷଣୀୟ ଚାରନୀ, ମଦର ମେରୀ ଓ ଅନ୍ୟ ଚରିତ୍ରମାନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବିଭିନ୍ନ ହୋଟେଲ, କ୍ଲବ୍ ଓ ଧାର୍ମିକ ସ୍ଥଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛତିଶଗଡ଼, ଝାଡ଼ଖଣ୍ଡ ଓ ଦୂରଦୂରାନ୍ତରୁ କଳାକାରମାନେ ଏସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଏକ ଆଦିବାସୀବହୁଳ ଜିଲ୍ଲା ସୁନ୍ଦରଗଡ଼ରେ ୪୦ରୁ ଊଦ୍ଧ୍ୱର୍ କ୍ୟାଥୋଲିକ ଚର୍ଚ୍ଚ, ଛୋଟାନାଗପୁର ଡାୟସିସିର ପ୍ରାୟ ୫୦ରୁ ଅଧିକ ଛୋଟବଡ଼ ଚର୍ଚ୍ଚମାନ ରହିଛି । ବିଭିନ୍ନ ମତ ଅନୁସାରେ ଏସବୁ ପରିଚାଳିତ ହୋଇଆସୁଛି ।

By amfnews

Related Post