ବ୍ରଜରାଜନଗର,ଅକ୍ଟୋବର,୨୩ : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ୱାର୍ଡ ନଂ ୧୯ରେ ରହନ୍ତି ଫିରଦୋସ ପରୱିନ୍। ବୟସ ମାତ୍ର ଅଠର। ଫିରଦୋସଙ୍କ ସେତେଟା ସ୍ବଚ୍ଛଳ ନୁହନ୍ତି। ତଥାପି ସେ କୌଣସି ପ୍ରକାରେ ନିଜେ ପାଠ ପଢ଼ି ଉଚ୍ଚ ଶିକ୍ଷିତ ହେବା ସହ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଲୋକଙ୍କୁ ସେବା କରି ଆସୁଛନ୍ତି।
ବାପା ସାହାବୁଦ୍ଦିନ କପଡ଼ା ବ୍ୟବସାୟ କରନ୍ତି। ପରିବାରରେ ୮ ଜଣ ଭାଇଭଉଣୀ। ଅଭାବ ଅନଟନ ଲାଗି ରହିଥିଲେ ମଧ୍ୟ ବାପା ତାଙ୍କୁ କଷ୍ଟେମଷ୍ଟେ ଇଂଜିନିୟରିଂ ପଢ଼ାଉଛନ୍ତି। ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ ଇଂଜିନିୟରିଂ ପ୍ରତିଷ୍ଠାନର ଛାତ୍ରୀ ସେ। ମାତ୍ର, ନିଜେ ଫିରଦୋସ ମଧ୍ୟ ଗରିବ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ପ୍ରୟାସ ଚଳାଇଛନ୍ତି।
ଫିରଦୋସ ପରୱିନ କହନ୍ତି, ‘ନିଜେ ଅଭାବ ଅନଟନରେ ଦାରିଦ୍ର୍ୟର କଷ୍ଟ ଅନୁଭବ କରିଛି। ସେଥିପାଇଁ ଅନ୍ୟର କଷ୍ଟ ଲାଘବ କରିବା ସହ ଗରିବ ପରିବାରର ଛୋଟ ପିଲାମାନେ ପାଠ ପଢ଼ିଲେ ଆନନ୍ଦ ମିଳେ’। ସେହିପରି ଫିରଦୋସ ଲୋକଙ୍କ ଆପତ୍ତି ଅଭିଯୋଗ ନେଇ ଆସିଲେ ତାକୁ ସମାଧାନ କରିବାକୁ ପ୍ରଥମେ ଉଦ୍ୟମ କରନ୍ତି ବୋଲି ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁ କହିଛନ୍ତି।

