Thu. Jan 23rd, 2025

ବେଦବ୍ୟାସ ଶୈବପୀଠର ବିକାଶ ନିମନ୍ତେ ସମସ୍ତଙ୍କ ସହଯୋଗ ଆବଶ୍ୟକ

rklsanchar@gmail.com' By J.N. Pradhan Jun 16, 2018 #Featured
224 Views

ରାଉରକେଲା, ୧୬/୬ : ବେଦବ୍ୟାସ ସ୍ଥିତ ଶୈବପୀଠ ପରିସରର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହାକୁ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ରାଉରକେଲା ସଚେତନ ନାଗରିକ ମଂଚ ପକ୍ଷରୁ ବେଦବ୍ୟାସ ମନ୍ଦିର (ବ୍ୟାସ ମଣ୍ଡପ) ଠାରେ ଆୟୋଜିତ ଏକ ବୈଠକରେ ରାଉରକେଲା ସହରର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସମେତ ବେଦବ୍ୟାସ ଓ କଲୁଙ୍ଗା ଅଂଚଳର ଜଣାଶୁଣା ବ୍ୟକ୍ତିମାନେ ଯୋଗଦେଇ ପ୍ରାଚୀନ ତୀର୍ଥକ୍ଷେତ୍ର ବେଦବ୍ୟାସକୁ ଜାତୀୟ ମାନ୍ୟତା ଓ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରିବା ସହ ଏହାର ସାମଗ୍ରୀକ ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ସଚେତନ ନାଗରିକ ମଂଚର ସଭାପତି ଡ. ଭାବଗ୍ରାହୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲାର ପୂର୍ବତନ ବିଧାୟକ ପ୍ରଭାତ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର, ବିଜେପି ନେତା ଧିରେନ ସେନାପତି ପ୍ରମୁଖ ଯୋଗଦେଇ ବ୍ୟାସ ମୁନିଙ୍କ ସାଧନାର ଏହି ପୀଠକୁ କେନ୍ଦ୍ର ତଥା ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ସହ ଏହାର ବିକାଶ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ବେଦବ୍ୟାସ ପୀଠରେ ସାଧୁ ସନ୍ଥଙ୍କ ଯୋଗଦାନ ପୂର୍ବକ ଏକ କୁମ୍ଭମେଳାର ଆୟୋଜନ କରିବାକୁ ପୀତବାସ ମିଶ୍ର ପ୍ରସ୍ତାବ ଦେଇଥିଲେ । ଶଙ୍ଖ, କୋଏଲ ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ପବିତ୍ର ସ୍ଥାନକୁ ଲୋକମାନେ ଯେପରି ସୁବିଧାରେ ଆସିପାରିବେ ସେଥିନିମନ୍ତେ ବସ୍ ଚଳାଚଳର ବ୍ୟବସ୍ଥା କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଏତଦ୍ବ୍ୟତିତ ରାଉରକେଲା ସହରର ଲୋକମାନେ ଯେପରି ସୁବିଧାରେ ତଥା କମ୍ ସମୟ ମଧ୍ୟରେ ବେଦବ୍ୟାସ ପୀଠରେ ପହଂଚି ପାରିବେ ସେଥି ନିମନ୍ତେ ନଦୀରେ ଏକ ଝୁଲା ସେତୁ ନିର୍ମାଣ କରିବା ଏବଂ ଏଠାରେ ପର୍ଯ୍ୟଟକ ମାନଙ୍କ ରହଣୀ ନିମନ୍ତେ ବ୍ୟବସ୍ଥା କରିବା ଉପରେ ବକ୍ତାମାନେ ମତପୋଷଣ କରିଥିଲେ ।

ବେଦବ୍ୟାସ ଟ୍ରଷ୍ଟ ବୋର୍ଡ଼ର ସଂପାଦକ ଅନୁପମ ରାୟ ବେଦବ୍ୟାସ ପୀଠର ଉନ୍ନତି ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଦବ୍ୟାସ କଲ୍ୟାଣ ଆଶ୍ରମର ଅଧିଷ୍ଠାତା ଅଗ୍ନିବାବାଙ୍କ ସମେତ ଜଗବନ୍ଧୁ ଜେନା, ଅଭୟ କୁମାର ଦାସ, ଜଟାଧାରୀ ମାଝୀ, ଚିତରଞ୍ଜନ ଦାସ, ପ୍ରମୋଦ କୁମାର ପ୍ରଧାନ, ଆକୁଳି ପ୍ରଧାନ, ଶଶଧର ପାତ୍ର, ଡ.ଆର.ବି.ମହାପାତ୍ର, ଭରତ ଚନ୍ଦ୍ର ଦାସ ପ୍ରମୁଖ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସଚେତନ ନାଗରିକ ମଂଚର ସଦସ୍ୟ ସଥା ରାଉରକେଲାର ବରିଷ୍ଠ ଆଇନଜୀବୀ, ଟ୍ରେଡ଼ ୟୁନିୟନ ନେତା, ସାମ୍ବାଦିକ, ସମାଜସେବୀ ସ୍ୱର୍ଗତ ମୁରଲୀଧର ପରିଜା, ପୂର୍ବତନ ବିଧାୟକ ବ୍ରଜ କିଶୋର ମହାନ୍ତି, ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କେ.କେ.ରାଓ ଏବଂ ବଣାଇଁ ଅଂଚଳର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ କମଳକୃଷ୍ଣ ପ୍ରଧାନଙ୍କ ବିୟୋଗରେ ଉପସ୍ଥିତ ବ୍ୟକ୍ତିମାନେ ଶୋକ ପ୍ରକଟ କରିବା ସହ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ ।

ମଂଚର ସାଧାରଣ ସଂପାଦକ ପି.ପି.ରାୟ ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଏହି ଶୈବପୀଠ ଅଂଚଳର ବିକାଶ ନିମନ୍ତେ ସଚେତନ ନାଗରିକ ମଂଚ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି କହିବା ସହ ରାଉରକେଲା ତଥା ଏହାର ଆଖପାଖ ଅଂଚଳର ଜନସାଧାରଣ ଏହି ବିକାଶ ପ୍ରକ୍ରିୟାରେ ସାମିଲ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ ।  ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଉମାକାନ୍ତ ପଣ୍ଡା ସଭାକାର୍ଯ୍ୟ ସଂଯୋଜନା କରିଥିଲେ ।

ଏହି ବୈଠକରେ ବିକ୍ରମ ଆଚାର୍ଯ୍ୟ, କୁଞ୍ଜବିହାରୀ ରାଉତ, ଆଇନଜୀବୀ କୈଳାସ ଚନ୍ଦ୍ର ସାବତ, ପ୍ରଫେସର ଧନେଶ୍ୱର ବେହେରା, କିଶୋରୀ ମୋହନ କର, ଗୋ÷ରାଙ୍ଗ ଦାଶ, ଘନଶ୍ୟାମ ସୁନା, ଅକୃର ମାର୍ଥା, ଡା. ମନୋଜ କୁମାର ନାଏକ, ଡା. ମୀନାକ୍ଷି ଶତପଥି, ଭରତ ଚନ୍ଦ୍ର ପରିଡ଼ା, ସୁବାସ ଚନ୍ଦ୍ର ଲେଙ୍କା, ଚକ୍ରାନ୍ତ ଜେନା, ରଞ୍ଜନ କୁମାର ଲେଙ୍କା, ସୁବ୍ରତ କୁମାର ମଲ୍ଲିକ, ପାର୍ଥସାରଥି ମହାପାତ୍ର, ଫକୀର ପାଣି, ଦିଗମ୍ବର ମହାନ୍ତି, ଇଂ ବଳରାମ ମହାପାତ୍ର, ଶାନ୍ତନୁ ମୁଦାଲି, ଶ୍ରୀନିବାସ ପାଠିଶର୍ମା, ରମେଶ ମହାନ୍ତି ଏବଂ ହରିହର ବେହେରାଙ୍କ ସମେତ ମଂଚର ବହୁସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ମୁଖପାତ୍ର ଜଟାଧାରୀ ମାଝୀ ଧନ୍ୟବାଦ ଦେଇଥିଲେ ବୋଲି ମଂଚର ସାଧାରଣ ସଂପାଦକ ପି.ପି.ରାୟ ଜଣାଇଛନ୍ତି ।

Related Post