Sat. Mar 7th, 2026

ବେଙ୍ଗାଲୁରୁରେ ‘ମାଙ୍କଡ଼ ଜର’ ଯୋଗୁଁ ଲୋକେ ଛାନିଆ

193 Views

ବେଙ୍ଗାଲୁରୁ, ଜାନୁଆରୀ ୨୦ : ରାଜ୍ୟର କେତେକ ଅଞ୍ଚଳରେ କିୟାସାନୁର ଫରେଷ୍ଟ୍‍ ଡିଜିଜ୍‌ (କେଏଫ୍‌ଡି) ବା ‘ମାଙ୍କଡ଼ ଜର’ ଲୋକେ ମରୁଥିବାର ଖବର ଶୁଣି ବେଙ୍ଗାଲୁରୁରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷକରି ମାଙ୍କଡ଼ମାନେ ଚଳପ୍ରଚଳ ହେଉଥିବା ଅଞ୍ଚଳର ଲୋକେ ବେଶୀ ଛାନିଆ ହେଉଛନ୍ତି। ଶିବମୋଗ୍ଗା, ଉତ୍ତର କନ୍ନଡ଼, ଦକ୍ଷିଣ କନ୍ନଡ଼, ଉଦୁପି ଏବଂ ଚିକ୍କମାଗୁଲୁରୁ ଜିଲ୍ଲାଗୁଡ଼ିକରେ ଏହି ଜ୍ୱର ବ୍ୟାପୁଥିବା ଖବର ଆସିଛି।

ଯଦିବା ଏ ପର୍ଯ୍ୟନ୍ତରେ ସହର ମଧ୍ୟକୁ ବ୍ୟାପିନାହିଁ, ତଥାପି କେଏଫ୍‌ଡି ବିଶେଷଜ୍ଞମାନେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଏବେ ଶିବମୋଗ୍ଗା ଜିଲ୍ଲାରେ ୫୮ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୬ ଜଣଙ୍କର ଏହି ଜ୍ୱରରେ ମୃତ୍ୟୁ ଘଟିଛି।

ଏହି ରୋଗର ସଂକ୍ରମଣର ମାଧ୍ୟମ ହେଉଛନ୍ତି ମାଙ୍କଡ଼ ଦେହରେ ଲାଗି ରହୁଥିବା ପରଜୀବୀ ଟିଙ୍କ। ଏହି ଟିଙ୍କ ମଣିଷମାନଙ୍କୁ କାମୁଡ଼ିଲେ ରୋଗ ସଂକ୍ରମଣ ହୋଇଥାଏ। ଭୀଷଣ ଜ୍ୱର, ଥଣ୍ଡା ଏବଂ ମୁଣ୍ଡବିନ୍ଧା ସହ ଏହି ରୋଗ ଆରମ୍ଭ ହୋଇ ମାଂସପେଶୀ ବିନ୍ଧା, ବାନ୍ତି ଏବଂ ପେଟ ଯନ୍ତ୍ରଣା ପରେ ୩ ୪ ଦିନ ମଧ୍ୟରେ ରକ୍ତ ପଡ଼ିଥାଏ।

ଏହି ରୋଗ ସଂକ୍ରମଣ ହୋଇଥିବା ଅଞ୍ଚଳରେ ଦ୍ୱାର ଦ୍ୱାର ବୁଲି ସଚେତନ ଅଭିଯାନ ଚାଲୁ ରହିଛି। ଛାନିଆ ନ ହୋଇ ଯଥା ସମ୍ଭବ ମାଙ୍କଡ଼ମାନଙ୍କ ଠାରୁ ଦୂରରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆ ଯାଉଥିବା କଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡାକ୍ତର ସଜ୍ଜନ ସେଟ୍ଟୀ କହିଛନ୍ତି।

By amfnews

Related Post