Sat. Mar 7th, 2026

ବେଆଇନ ଭାବେ ଆମେରିକା ଯାଇଥିବା ୨୪ଶହ ଭାରତୀୟ ଏବେ ଜେଲରେ

283 Views

ନୂଆଦିଲ୍ଲୀ, ୧୩/୧୧: ଜଣେ ନୁହେଁ କିମ୍ବା ଦୁଇଜଣ ନୁହଁଁନ୍ତି, ପ୍ରାୟ ୨ହଜାର ୪ଶହ ଭାରତୀୟ ଅନଧିକାର ଭାବେ ଆମେରିକା ସୀମା ଭିତରେ ପ୍ରବେଶ କରି ଧରାପଡ଼ିବା ପରେ ଆମେରିକାର ବିଭିନ୍ନ ଜେଲରେ ଦିନ କାଟୁଛନ୍ତି। ବିଶେଷ କରି ନିଜ ଦେଶରେ ହିଂସାରେ ଅତିଷ୍ଠ ହୋଇ ଅଥବା ଦେଶରେ ସେମାନଙ୍କ ବିରୋଧରେ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ ଏହି ଭାରତୀୟମାନେ ଆମେରିକାରେ ରାଜନୈତିକ ଆଶ୍ରୟ ନେବା ପାଇଁ ସୀମା ପାର କରିଥିବା କହିଛନ୍ତି। ତେବେ ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପଞ୍ଜାବର ନାଗରିକ ଥିବାରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଜାବ ସରକାରଙ୍କୁ ଉତ୍ତର ଆମେରିକା ପଞ୍ଜାବୀ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଉତ୍ତର ଆମେରିକା ପଞ୍ଜାବୀ ସଂଘର ସଭାପତି ସତନାମ ଏସ ଚହଲ କହିଛନ୍ତି ଯେ ସୂଚନା ସ୍ୱାଧୀନତା ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ବେଆଇନ ଭାବେ ଆମେରିକା ସୀମାରେ ପ୍ରବେଶ କରିଥିବା ୨ ହଜାର ୩ ଶହ ୮୨ ଜଣ ଏବେ ଆମେରିକାର ୮୬ଟି ଜେଲରେ ଅଛନ୍ତି। ସେଥିମଧ୍ୟରୁ କାଲିଫର୍ଣ୍ଣିଆର ଆଡେଲାଣ୍ଟୋ ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ପ୍ରସେସିଂ ସେଣ୍ଟରରେ ୩୭୭ ଜଣ,ଇମ୍ପେରିଆଲ ରିଜିଓନାଲ ଆଡଲ୍ଟ ଡିଟେନସନ ଫାସିଲିଟିରେ ୨୬୯ ଜଣ, ଫେଡେରାଲ କରେକ୍ସନାଲ ଇନଷ୍ଟିଚ୍ୟୁସନ ଭିକ୍ଟରଭୀଲେରେ ୨୪୫ ଜଣ, ଓ ଓ୍ଵାସିଙ୍ଗଟନ ଷ୍ଟେଟ୍‌ ଟାଲ୍କୋମା ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ପ୍ରସେସିଂ ସେଣ୍ଟରରେ ୧୧୫ ଜଣ ଭାରତୀୟ ବନ୍ଦୀ ଭାବେ ଥିବା ଶ୍ରୀ ଚହଲ କହିଛନ୍ତି। ଅଧିକାଂଶ ସେଥିରୁ ପଞ୍ଜାବୀ ହୋଇଥିବାର ଓ ସେମାନଙ୍କୁ ମାନବ ଚାଲାଣ ର‍୍ୟାକେଟ୍‌ ବେଆଇନ ଭାବେ ଆମେରିକା ପଠାଉଥିବାରୁ ଏ ଦିଗରେ ପଞ୍ଜାବ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଚହଲ ଅନୁରୋଧ କରିଛନ୍ତି।

By amfnews

Related Post