Fri. Mar 6th, 2026

ବୀରସିଂହଗଡ଼ରେ ଲୁପ୍ତପ୍ରାୟ ଔଷଧୀୟ କଳା ଧାନ ଚାଷ : ପୁଣିଥରେ ହସିଲା କଳାବତୀ

381 Views

ସମ୍ବଲପୁର : ଔଷଧୀୟ ଗୁଣରେ ଭରପୂର କଳା ଚାଉଳ ବା କଳାବତୀ ଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ପୂର୍ବରୁ ଓଡ଼ିଶାରେ ଏହା ବହୁଳଭାବେ ଚାଷ ହେଉଥିଲେ ବି କ୍ରମେ ଲୋପ ପାଇବାକୁ ବସିଥିଲା। ସାରା ରାଜ୍ୟକୁ ଭାତ ଯୋଗାଉଥିବା ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଏହା ପ୍ରାୟତଃ କେଉଁଠି ଦେଖିବାକୁ ମିଳୁ ନାହିଁ। କିନ୍ତୁ ଏ ବର୍ଷ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ବୀରସିଂହଗଡ଼ଠାରେ ଏହି ଧାନ ଚାଷ କରିଛନ୍ତି ଯୁବ ଚାଷୀ ଚେତନ। ବୀରସିଂହଗଡ଼ର ଏକ ଫାର୍ମ ହାଉସ୍‌ରେ ୧୦ ଏକର ଜମିରେ ଧାଡ଼ି ପ୍ରାଣାଳୀରେ ଏହି ଧାନ ଚାଷ କରୁଛନ୍ତି ଚେତନ। ସବୁଠୁ ବଡ଼ କଥା ହେଲା ସେ ଆଦୌ ରାସାୟନିକ ସାର ବ୍ୟବହାର ନକରି ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ କରୁଛନ୍ତି।

ଔଷଧୀୟ ଗୁଣ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥିବାରୁ ଏହି କଳା ଚାଉଳର ଚାହିଦା ଢେର। ଏହା ରାଜ୍ୟ ବାହାର ବଜାରରେ ଓ ଅନ୍‌ଲାଇନ୍‌ରେ କେଜି ପ୍ରତି ୫୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ୨୦୦ରୁ ୩୦୦ ଟଙ୍କା ମଧ୍ୟରେ ଏହା ଉପଲବ୍‌ଧ କରାଇବେ ବୀରସିଂହଗଡ଼ର ଚାଷୀ। ଜୁନ୍‌ ପହିଲାରୁ ଏହି ଧାନ ଚାଷ ଆରମ୍ଭ ହୋଇ ୧୫୦ ଦିନ ଅର୍ଥାତ ୫ ମାସରେ ଅମଳ ହୋଇଥାଏ। ଧାନ ତଳି ପଡ଼ିବାଠାରୁ ଅମଳ ଯାଏ ୧୫୦ ଦିନ ସମୟ ଲାଗିଥାଏ। ଏହି ଧାନ ଗଛର ରଂଗ ସାମାନ୍ୟ କଳା ଓ ଏହା ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ। ୧ ଏକର ଜମିରେ କଳା ଧାନ ଚାଷ ପାଇଁ ୫ କେଜି ବିହନ ଆବଶ୍ୟକ ହୁଏ। ଏଥିରୁ ଅମଳ ଧାନ ଓ ପ୍ରସ୍ତୁତ ଚାଉଳର ରଂଗ ବି ପୂରା କଳା। ଏହି କିସମର ଧାନ ଔଷଧୀୟ ଗୁଣରେ ଭରପୂର। ପ୍ରଚୁର ପରିମାଣରେ ଭିଟାମିନ ‘ବି’ ଓ ‘ଇ’, ନିଆସିନ, କ୍ୟାଲସିୟମ, ମ୍ୟାଗନେସିୟମ, ଆଇରନ ଓ ଜିଙ୍କ୍‌ ଥିବା ଏହି ଚାଉଳ ଆଣ୍ଟିଅକ୍ସିଡାଣ୍ଟ ଭାବେ କାର୍ଯ୍ୟ କରେ। ଏଥିରୁ ପ୍ରସ୍ତୁତ ଭାତ କର୍କଟ ଓ ଡାଇବେଟିସ ରୋଗୀଙ୍କ ପାଇଁ ଉପଯୋଗୀ ହୋଇଥିବାବେଳେ ରକ୍ତ ମଧ୍ୟ ପରିଷ୍କାର କରିଥାଏ। ଏହା ଆଖି ଓ ଚର୍ମ ପାଇଁ ଉପଯୋଗୀ। ଏହା ଶରୀରର ବିଷାକ୍ତ ଉପାଦାନକୁ ନଷ୍ଟ କରିବା ସହ ଲିଭର, କିଡ୍‌ନିକୁ ସୁସ୍ଥ ରଖେ। ମେଦ ବହୁଳତା ଓ ଓଜନ ଜନିତ ସମସ୍ୟା ହ୍ରାସ କରିବା ସହ ଖାଦ୍ୟ ହଜମରେ ସହାୟକ ହୋଇଥାଏ ଏହି କଳା ଚାଉଳର ଭାତ।

କୁହାଯାଏ କଳାବତୀ ଓଡ଼ିଶାର ସ୍ଥାନୀୟ କିସମ। ୬୦, ୭୦ ବର୍ଷ ପୂର୍ବରୁ ଓଡ଼ିଶାରେ ଏହି ଧାନ ବହୁଳ ଭାବେ ଚାଷ ହେଉଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଅଧିକ ଅମଳକ୍ଷମ କିସମ ଆସିବା ପରେ କଳାବତୀ ଭଳି ବହୁ ମୂଲ୍ୟବାନ କିସମ ବିଲୁପ୍ତ ହେବାକୁ ବସିଲା। କୋରାପୁଟରେ ଜଣେ ମହିଳା ଏହି କିସମକୁ ବଞ୍ଚାଇ ରଖି ତାକୁ ପୁଣି ଜିଲ୍ଲାରେ ନୂଆ ଜୀବନ ଦେଇଛନ୍ତି। ସେହିପରି ଯୁଯୁମୁରାର ଜଣେ ସ୍ଥାନୀୟ ଚାଷୀଙ୍କଠାରୁ ଏହାର ସଂଧାନ ପାଇବା ପରେ ଏହି ଧାନକୁ ସଂପୂର୍ଣ୍ଣ ଜୈବିକ ପ୍ରକ୍ରିୟାରେ ବଡ଼ ମାତ୍ରାରେ ଉତ୍ପାଦନ ପାଇଁ ଉଦ୍ୟମ କରୁଛନ୍ତି ଚେତନ। ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀମାନେ ଏହି ଧାନ ଅଧିକ ପରିମାଣରେ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାର ସୁଯୋଗ ରହିଛି ବୋଲି ମତ ଦିଅନ୍ତି ବିଶେଷଜ୍ଞମାନେ।

By amfnews

Related Post