ରୋମ, ଅକ୍ଟୋବର ୧୭ : ଭୋକ, ଜଳବାୟୁ ପରିବର୍ତ୍ତନ ଓ ମାନବ ପରିଚାଳିତ ବିପର୍ଯ୍ୟୟ ଭବିଷ୍ୟତରେ ବାତ୍ୟା ଆଣିପାରେ । ବିଶ୍ୱ ଖାଦ୍ୟ ଦିବସ (ଅକ୍ଟୋବର ୧୬) ଅବସରରେ ଏହି ଚେତାବନୀ ମିଳିଛି । ତେଣୁ ସମୟ ପୂର୍ବରୁ ବିଶ୍ୱର ସୁରକ୍ଷା ପାଇଁ ଚିନ୍ତା କରିବାର ସମୟ ଆସିଛି । ରୋମରେ ଆୟୋଜିତ କାର୍ଯ୍ୟକ୍ରମରେ ୱାଲ୍ଡ ଫୁଡ ପ୍ରୋଗ୍ରାମର ମୁଖ୍ୟ ଡେଭିଡ ବେସଲି କହିଛନ୍ତି, ଏକ ବଡ଼ ବାତ୍ୟା ଆପଣଙ୍କ ଆଡକୁ ଅଗ୍ରସର ହେଉଛି । ସେଥିପାଇଁ ଆପଣଙ୍କୁ ଏବେଠାରୁ ସତର୍କତା ଅବଳମ୍ବନ କରିବାକୁ ପଡ଼ିବ ।
ସଂଯୁକ୍ତ ରାଷ୍ଟ୍ର ୨୦୩୦ ପର୍ଯ୍ୟନ୍ତ ବିଶ୍ୱକୁ ଭୋକ ମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଛି କିନ୍ତୁ ଏଥିରେ ଅନେକ ବାଧା ପହଞ୍ଚିବାର ଆଶଙ୍କା ଦେଖାଯାଇଛି । ବିବାଦ ଓ ଜଳବାୟ ପରିବର୍ତ୍ତନ ସବୁଠାରୁ ବଡ଼ ସମସ୍ୟା ଭାବରେ ଛିଡ଼ା ହୋଇଛି । ବେସଲି କହିଛନ୍ତି, ଏହି ଲଢ଼ାଇ ଜରୁରୀ ଅଟେ । ପ୍ରତ୍ୟେକ ୫ରୁ ୧୦ ସେକେଣ୍ଡରେ ଭୋକ ଅଥବା ଅନାହାର ଯୋଗୁଁ ଜଣେ ଶିଶୁଙ୍କ ମୃତ୍ୟୁ ହେଉଛି । ଅନ୍ୟପଟରେ ଲୋକଙ୍କ ରୋଷେଇଶାଳରେ ବହୁ ଖାଦ୍ୟ ନଷ୍ଟ ହେଉଛି । ବେସଲି କହିଛନ୍ତି, ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ଅଛି, ଭୋଜନକୁ ବଞ୍ଚାଇବା ପାଇଁ କ’ଣ କରିବେ?
ବେସଲି କହିଛନ୍ତି, ଭୋକ ସମସ୍ୟା ଯଦି ଏକ ପ୍ରତିଶତ ବଢ଼ିଯାଏ, ମାଇଗ୍ରେସନ ୨ ପ୍ରତିଶତ ବଢ଼ିଥାଏ । ୟୁଏନ ହଙ୍ଗର ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ୯ ଜଣଙ୍କ ମଧ୍ୟରୁ ଜଣକୁ ଭୋକିଲା ରହିବାକୁ ପଡୁଛି । ବିଶ୍ୱରେ ୧୫କୋଟିରୁ ଅଧିକ ୫ ବର୍ଷରୁ କମ ବୟସର ଶିଶୁଙ୍କୁ ଅପପୁଷ୍ଟି ରୋଗର ଶିକାର ହେବାକୁ ପଡୁଛି ।