Sun. Mar 8th, 2026

ବିଲରେ ମିନି ବସ୍‌ ଓଲଟି ଜଣେ ମୃତ ଓ ଦଶଜଣ ଆହତ

186 Views

ଭଞ୍ଜନଗର: ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍‌ ଅଞ୍ଚଳର ଗାଙ୍ଗପୁର ଠାରେ ଗୋଟାଏ ମିନି ବସ୍‌ ରାସ୍ତାରୁ ଗଡ଼ିଯାଇ ବିଲରେ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦଶ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ଗୋବର୍ଦ୍ଧନ ଜେନା। ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ତନରଡ଼ା ଗ୍ରାମର ଟୁକୁନା ଜେନାଙ୍କ ନିର୍ବନ୍ଧ ପାଇଁ ସନ୍ଧ୍ୟା ବେଳେ ମିନି ବସ୍‌ ଯୋଗେ ପ୍ରାୟ ୪୦ ଜଣ ବ୍ୟକ୍ତି ବୋରି ଗ୍ରାମକୁ ଯାଇଥିଲେ। ନିର୍ବନ୍ଧ ଅନ୍ତେ ସେମାନେ ପୁଣି ତନରଡ଼ା ଫେରିବା ବେଳେ କୌଣସି କାରଣରୁ ବସ୍‌ଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା ପାର୍ଶ୍ୱସ୍ଥ ବିଲ ମଧ୍ୟକୁ ଓଲଟି ପଡ଼ିଲା।

ଗାଙ୍ଗପୁର ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ଗୋବରା, ଭଞ୍ଜନଗର ଓ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ଗୋବର୍ଦ୍ଧନ ମୃତ ବୋଲି ଭଞ୍ଜନଗର ଡାକ୍ତରଖାନାର ଡାକ୍ତରମାନେ ଘୋଷଣା କରିଥିଲେ।

By amfnews

Related Post