Sat. Mar 7th, 2026

ବିମୁଦ୍ରାୟନ ପରେ ୬୨୫ ଟନ୍‌ ନୂଆ ଟଙ୍କା ପରିବହନ କରିଥିଲା ଭାରତୀୟ ବାୟୁସେନା: ପୂର୍ବତନ ବାୟୁସେନା ମୁଖ୍ୟ ଧାନୋଆ

194 Views

ମୁମ୍ବାଇ: ୨୦୧୬ ମସିହାରେ ବିମୁଦ୍ରାୟନ ପରେ ଭାରତୀୟ ବାୟୁସେନା ଦେଶର ବିଭିନ୍ନ ଅଞ୍ଚଳକୁ ୬୨୫ ଟନ୍‌ ଓଜନର ନୂଆ ଟଙ୍କା ବୋହି ନେଇଥିଲା ବୋଲି ପୂର୍ବତନ ବାୟୁସେନା ମୁଖ୍ୟ ମାର୍ସାଲ୍‌ ବିଏସ୍‌ ଧାନୋଆ କହିଛନ୍ତି।

୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବାକୁ ବିମୁଦ୍ରାୟନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଇଆଇଟି-ବମ୍ବେ ଆୟୋଜିତ ‘ଟେକ୍‌ଫେଷ୍ଟ୍‍’ କାର୍ଯ୍ୟକ୍ରମରେ ଯୋଗ ଦେଇ ଶନିବାର ଦିନ ଧାନୋଆ କହିଲେ, ବିମୁଦ୍ରାୟନ ହେବା ସମୟରେ ଆମେ ଟଙ୍କା ନେଇ ଆପଣମାନଙ୍କ ପାଖରେ ପହଞ୍ଚାଇ ଥିଲୁ। ଯଦି ଗୋଟାଏ ୨୦ କେଜି ବସ୍ତାରେ କୋଟିଏ ଟଙ୍କା ଧରେ, ଆମେ କେତେ କୋଟି ଟଙ୍କା ପରିବହନ କରିଛୁ ତାହା ଜାଣିନି।

ଧାନୋଆ ଉପସ୍ଥାପନ କରିଥିବା ଗୋଟାଏ ସ୍ଲାଇଡ୍‌ରୁ ଜଣାପଡ଼ିଛି ଯେ ବିମୁଦ୍ରାୟନ ଘୋଷିତ ହେବା ପରେ ୬୨୫ ଟନ୍‌ ନୂଆ ଟଙ୍କା ବୋହି ନେବାକୁ ଭାରତୀୟ ବାୟୁସେନା ୩୩ଟି ଅଭିଯାନରେ ଯାଇଥିଲା।

୨୦୧୬ ଡିସେମ୍ବର ୩୧ ତାରିଖରୁ ୨୦୧୯ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଧାନୋଆ ଭାରତୀୟ ବାୟୁସେନାର ମୁଖ୍ୟ ଥିଲେ।

By amfnews

Related Post