ଆର୍ବିଆଇର ସୂଚନା ମୁତାବକ, ଆର୍ଥିକ ବର୍ଷ ୨୦୧୬-୧୭ର ରିପୋର୍ଟ ଅନୁଯାୟୀ ୧୫.୪୪ ଲକ୍ଷ କୋଟି ଟଙ୍କାକୁ ଅବୈଧ ଘୋଷଣା କରାଯାଇଥିଲା । ତେବେ ଏଥିରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍ ବ୍ୟବସ୍ଥାରେ ଫେରିଛି । ଅର୍ଥାତ ୯୯.୩ ପ୍ରତିଶତ ଟଙ୍କା ଫେରସ୍ତ ହୋଇଛି । ମାତ୍ର ୦.୭ ପ୍ରତିଶତ ଅର୍ଥାତ ୧୦,୭୨୦ କୋଟି ଟଙ୍କାର କୌଣସି ସୂଚନା ମିଳି ନାହିଁ । ୨୦୧୭-୧୮ ବର୍ଷରେ ୨,୭୦୦ କୋଟି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ନଷ୍ଟ ହୋଇଗଲା । ସେହିପରି ପୁରୁଣା ନୋଟ୍ ବନ୍ଦ ହୋଇଯିବା ପରେ ନୂଆ ନୋଟ୍ ଛପା ଯାଇଥିଲା । ଯାହା ପାଇଁ ଖର୍ଚ୍ଚ ହୋଇଥିଲା ୭,୯୬୫ ଟଙ୍କା । ୨୦୧୭-୧୮ ବିତ୍ତୀୟ ବର୍ଷରେ ନୋଟ୍ ଛପା ପାଇଁ ୪,୯୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୨୦୧୬-୧୭ ବର୍ଷରେ କେନ୍ଦ୍ରୀୟ ବ୍ୟାଙ୍କର ଆମଦାନୀ ୨୩.୫୬ ପ୍ରତିଶତ ହ୍ରାସ ପାଇଥିଲା ଏବଂ ୧୦୭.୮୪ ପ୍ରତିଶତ ଖର୍ଚ୍ଚ ବଢ଼ିଗଲା ।
ବିମୁଦ୍ରାକରଣର ବଡ଼ ସଫଳତା ଥିଲା ଜାଲ୍ ନୋଟ୍ ଉପରେ ରୋକ୍ ଲଗାଇବା । ୨୦୧୭-୧୮ ଆର୍ଥିକ ବର୍ଷରେ ୫ ଲକ୍ଷ ୨୨ ହଜାର ୭୮୩ ଜାଲ୍ ନୋଟ୍ ସାମ୍ନାକୁ ଆସିଥିଲା । ଅର୍ଥାତ୍ ୩୬.୧ ପ୍ରତିଶତ ଥିଲା । ଯାହା ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ମାତ୍ର ୪.୩ ପ୍ରତିଶତ ଥିଲା । ନୋଟବନ୍ଦୀ ପରେ ଡିଜିଟାଲ ଟ୍ରାଞ୍ଜାକସନ୍ ତୀବ୍ର ଗତିରେ ବୃଦ୍ଧି ପାଇଥିଲା । ସେହିପରି ୨୦୧୨ରୁ ଆରମ୍ଭ ହୋଇଥିବା ରୂପେ କାର୍ଡର ଅପୂର୍ବ ସଫଳତା ଦେଖାଦେଇଥିଲା । ଚଳିତବର୍ଷ ଅଗଷ୍ଟମାସ ସୁଦ୍ଧା ରୂପେ କାର୍ଡ ଜରିଆରେ ୪ କୋଟି ୯୬ ଲକ୍ଷ ଟ୍ରାଞ୍ଜାକ୍ସନ୍ ଜରିଆରେ ୬୨ ଆରବ୍ ୯୦ କୋଟି ଟଙ୍କା ନେଣଦେଣ ହୋଇଛି । ସେହିପରି ଟ୍ୟାକ୍ସ ଆଦାୟରେ ମଧ୍ୟ ବିମୁଦ୍ରାକରଣର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ଅଗଷ୍ଟ ସୁଦ୍ଧା ଏହା ୭୧ ପ୍ରତିଶତକୁ ବୃଦ୍ଧି ପାଇ ୫.୪୨ କୋଟିରେ ପହଁଚିଛି ।