Tue. Dec 24th, 2024

ବିବାଦରେ ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ, ପୁରସ୍କାର ନେବାକୁ ବର୍ଜନ କଲେ ୬୦ରୁ ଅଧିକ ବିଜେତା

rout.subhashree22@gmail.com' By Subhashree Rout May 4, 2018 #Featured
319 Views

ଏପ୍ରିଲ ୩ ତାରିଖ ଗୁରୁବାର ଦିନ ଦିଲ୍ଳୀର ବିଜ୍ଞାନ ଭବନରେ ଆୟୋଜିତ ହୋଇଯାଇଛି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ । ମାତ୍ର ଏହି ଉତ୍ସବକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ । ଦୀର୍ଘ ୬୪ ବର୍ଷ ଧରି ରାଷ୍ଟ୍ରପତି ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବା ପରମ୍ପରା ରହିଥିଲା । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରଦାନ କରିବେ ବୋଲି ଘୋଷଣା ହେବା ପରେ ବିଜେତାଙ୍କ ମନରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ପୁରସ୍କାର ବିଜେତାମାନେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଚିଠ ମଧ୍ୟ ଲେଖିଥିଲେ, ମାତ୍ର କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନମିଳିବାରୁ ସେମାନେ ପୁରସ୍କାର ଗ୍ରହଣ କରିବାକୁ ଆସିନଥିଲେ । ରାଷ୍ଟ୍ରପତି ଭାବେ ରାମନାଥ ଦାୟିତ୍ୱ ଗ୍ରହଣ କରିବା ପରଠୁ ଅତି ବେଶୀରେ କୌଣସି ପୁରସ୍କାର ଉତ୍ସବ ପାଇଁ ସେ ଗୋଟଏ ଘଣ୍ଟା ସମୟ ଦେଇଥାନ୍ତି । ଏହି ପ୍ରୋଟୋକୋଲ ରାମନାଥ କୋବିନ୍ଦ ଦାୟିତ୍ୱ ନେବା ପରଠୁ କାର୍ଯ୍ୟକାରୀ ହେଉଛିି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅପରାହ୍ନ ୩ଟା ୩୦ରୁ ୫ଟା ୩୦ ଯାଏଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁରସ୍କାର ବିତରଣ କରିଥିଲେ । ଏହାପରେ ୫ଟା ୩୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚି ବକ୍ତବ୍ୟ ରଖି ୧୧ ଜଣଙ୍କୁ ପୁରସ୍କୃତ କରିଥିଲେ ।
ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ବିନୋଦ ଖନ୍ନାଙ୍କୁ ମରଣୋତ୍ତର ଦାଦା ସାହେବ ଫାଲ୍କେ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମମ୍ ଚଳଚ୍ଚିତ୍ର ପାଇଁ ମରଣୋତ୍ତର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାସହ ଓଡିଆ ଚଳଚ୍ଚିତ୍ର ହ୍ୟାଲୋ ଆର୍ସିକୁ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଥିଲା । ହ୍ୟାଲେଶ ଆର୍ସି ପାଇଁ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।

ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ‘ଭିଲେଜ ରକଷ୍ଟାର’, ସର୍ବଶ୍ରେଷ୍ଠ ଅଭିନେତା ରିଦ୍ଧି ସେନ( ନଗର କୀର୍ତ୍ତନ), ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ, ସର୍ବଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ, ରାଷ୍ଟ୍ରୀୟ ଏକତା ଅଧାରିତ ଚଳଚ୍ଚିତ୍ର ‘ଧପ୍ପା’କୁ ନର୍ଗିସ ଦତ୍ତ ସମ୍ମାନ, ଚଳଚ୍ଚିତ୍ର ପୁସ୍ତକ ସର୍ବଶ୍ରେଷ୍ଠ ପୁସ୍ତକ ମାତାମଗି ମଣିପୁର, ଶ୍ରେଷ୍ଠ ନିର୍ଦ୍ଦେଶକ ଜୟରାଜ ଏବଂ ଶ୍ରେଷ୍ଠ ପୁରୁଷ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ କେ.ଜେ.ୟେସୁଦାସ ପୁରସ୍କାର ଗ୍ରହଣ କରିଛନ୍ତି। ଉତ୍ସବରେ ମୋଟ ୧୩୭ ଜଣ ବିଜେତାଙ୍କ ମଧ୍ୟରୁ ୧୧ ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଥିବା ବେଳେ ଅନ୍ୟମାନଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ରାଜ୍ୟବର୍ଦ୍ଧନ ସିଂହ ରାଥୋଡ ଓ ନରେନ୍ଦ୍ର କୁମାର ସିହ୍ନା ପ୍ରଦାନ କରିଥିଲେ।

Related Post