99 Views
ଭୁବନେଶ୍ୱର, ଅକ୍ଟୋବର ୩୦: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଦେବା ନେଇ ସେ ସୂଚନା ଦେଇଛନ୍ତି ।
କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ସେ ଇସ୍ତଫା ଦେଇଛନ୍ତି । ପୀଡିତାଙ୍କୁ ନ୍ୟାୟ ଦେଇପାରି ନ ଥିବା ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସାମ୍ପ୍ରଦାୟିକ ରାଜନୈତିକ ସ୍ଥିତି ଦେଖା ଦେଇଥିବାବେଳେ ଦଳିତମାନଙ୍କୁ ସମ୍ମାନ ଓ ନ୍ୟାୟ ମିଳୁନାହିଁ । ଏନେଇ ସେ ବାରମ୍ବାର ସ୍ୱର ଉଠାଉଥିଲେ । ତେବେ ଏଭଳି ପରିସ୍ଥିତିରେ ସେ ଜଣେ ଦଳିତ ବିଧାୟକ ହୋଇ ମଧ୍ୟ ଜଣେ ଦଳିତ ପୀଡିତାଙ୍କୁ ନ୍ୟାୟ ଦେଇ ପାରିନଥିଲେ । ଫଳରେ ତାଙ୍କ ବିବେକ ଡାକରାରେ ସେ ଇସ୍ତଫା ଦେଇଛନ୍ତି ।
ଆସନ୍ତା ଡିସେମ୍ବର ୬ ରେ ସେ ରାଜ୍ୟର ଦଳିତ ମାନଙ୍କୁ ଏକାଠି କରି ଦଳିତଙ୍କ ପାଇଁ ନ୍ୟାୟ ଦାବି କରିବେ । ରାଜ୍ୟରେ ଦଳିତ ମାନେ ଅବହେଳିତ ହେଉଥିବାବେଳେ ରାଜଧାନୀରେ ଏକ ବିଶାଳ ସମାବେଶ କରିବାର ଯୋଜନା କରିଛନ୍ତି ଶ୍ରୀ ଶଗରିଆ ।