Mon. Mar 17th, 2025

ବିଧାୟକଙ୍କ ପିଛା କୋଟି କୋଟି ଟଙ୍କା କିଏ ଖର୍ଚ୍ଚ କରୁଛି

By amfnews Jul 15, 2019 #Featured
390 Views

ବେଙ୍ଗାଲୁରୁ   :   କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଜୁଲାଇ ୬ ତାରିଖରେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟର ୧୩ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିଲେ। ପରେ ଏହି ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି। ବିଦ୍ରୋହୀ ବିଧାୟକମାନେ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ରହୁଛନ୍ତି।

ସେମାନେ ସ୍ୱତନ୍ତ୍ର ବିମାନରେ ଯାତାୟାତ ମଧ୍ୟ କରୁଛନ୍ତି। କେବଳ ଏହି ବିଧାୟକମାନେ ନୁହନ୍ତି, ମେଣ୍ଟ ସରକାରଙ୍କୁ ସମର୍ଥନ କରୁଥିବା କଂଗ୍ରେସ ଓ ଜେଡିଏସ୍‌ର ବଳକା ବିଧାୟକ ମଧ୍ୟ ବେଙ୍ଗାଲୁରୁ ହୋଟେଲରେ ରହୁଛନ୍ତି। ସେହିପରି ବିରୋଧୀ ବିଜେପି ମଧ୍ୟ ତା’ର ବିଧାୟକମାନଙ୍କୁ ଏକାଠି କରିବା ପାଇଁ ସମସ୍ତଙ୍କୁ ହୋଟେଲରେ ରଖିଛି।

ପ୍ରଶ୍ନ ଉଠୁଛି, ଏହି ହୋଟେଲର ଭଡ଼ା ଓ ବିମାନ ଖର୍ଚ୍ଚ ଦେଉଛି କିଏ? ଗୋଟିଏ ଆକଳନ ଅନୁଯାୟୀ, ଦଳ ବଦଳ କରୁଥିବା ବିଧାୟକଙ୍କୁ ୨୦ କୋଟି ଟଙ୍କା ଲେଖାଏ ଦିଆଯାଉଛି। ସେହିପରି ମୁମ୍ବାଇ ଓ ବେଙ୍ଗାଳୁରୁ ହୋଟେଲରେ ରହୁଥିବା ବିଧାୟକମାନଙ୍କ ରୁମ ଭଡ଼ା ଦିନକୁ ୪ ହଜାରରୁ ୧୧ ହଜାର ଟଙ୍କା। ତା’ ସହିତ ରହିଛି ସେମାନଙ୍କ ଖାଇବା ପିଇବା ବିଲ୍। ବେଙ୍ଗାଲୁରୁରୁ ମୁମ୍ବାଇ ସ୍ୱତନ୍ତ୍ର ବିମାନ ଗୋଟିଏ ଟ୍ରିପକୁ ୪ ଲକ୍ଷ ଟଙ୍କା ନେଉଛି।

କର୍ଣ୍ଣାଟକା ସଙ୍କଟ ସୃଷ୍ଟି ହେବା ଦିନଠାରୁ ବିଦ୍ରୋହୀ ବିଧାୟକମାନେ ଅତି କମରେ ୫ଥର ବେଙ୍ଗାଲୁରୁରୁ ମୁମ୍ବାଇ ଯିବା ଆସିବା କରି ସାରିଲେଣି। ଜଣେ କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଏଇ କିଛି ଦିନ ମଧ୍ୟରେ ସବୁ ଦଳ ସେମାନଙ୍କ ବିଧାୟକମାନଙ୍କ ପାଇଁ ପାଖାପାଖି ୫୦ ଲକ୍ଷ ଲେଖାଏ ଟଙ୍କା ଖର୍ଚ୍ଚ କରିସାରିଲେଣି।

ଖାଲି ସେତିକି ନୁହେଁ ବିଦ୍ରୋହୀ ବିଧାୟକମାନେ ସ୍ୱତନ୍ତ୍ର ବିମାନ ଭଡ଼ାରେ ନେଇ ମହାରାଷ୍ଟ୍ରର ଥିବା ବିଭିନ୍ନ ମନ୍ଦିରକୁ ଯାଉଛନ୍ତି। ଏସବୁ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ କିଏ ଏଥିପାଇଁ ଟଙ୍କା ଦେଉଛି, ତାହା ଜଣାପଡ଼ିନାହିଁ।

ବିଦ୍ରୋହୀ ବିଧାୟକମାନେ କହୁଛନ୍ତି, ସେମାନେ ନିଜ ହାତରୁ ସବୁ ଖର୍ଚ୍ଚ କରୁଛନ୍ତି। କିନ୍ତୁ କଂଗ୍ରେସ ଓ ଜେଡିଏସ୍‌ ବିଜେପି ଉପରକୁ ଅଙ୍ଗୁଳି ଦେଖାଇଛନ୍ତି। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, “ଯଦି ବିଦ୍ରୋହୀ ବିଧାୟକମାନଙ୍କୁ ବିଜେପି ଟଙ୍କା ଦେଉନାହିଁ, ତା’ହେଲେ ସେମାନେ ଯେତେବେଳେ ଇଚ୍ଛା ସେତେବେଳେ କେମିତି ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ପାଉଛନ୍ତି? ତେଣୁ ବିଜେପି ହିଁ ସବୁ ଟଙ୍କା ଖର୍ଚ୍ଚ କରୁଛି।”

By amfnews

Related Post