Sat. Mar 7th, 2026

ବିଧବା ମହିଳାଙ୍କୁ ଅସଦାଚରଣ ଘଟଣା:ସରପଞ୍ଚଙ୍କୁ ଗିରଫ କରାନଯିବାରୁ ୩ ଘଣ୍ଟା ପାଇକମାଲ ବନ୍ଦ

250 Views

ପାଇକମାଲ: ପାଇକମାଲ ସରପଞ୍ଚ ଧବଳେଶ୍ବର ସାହୁ ମାହାରପଡ଼ାର ଜନୈକା ବିଧବା ମହିଳା (୫୫)ଙ୍କୁ କରିଥିବା ଅସଦାଚରଣ ମାମଲାରେ ତାଙ୍କୁ ଗିରଫ କରାଯାଉ ନଥିବାରୁ ପ୍ରତିବାଦ ଜଣାଇ ଶୁକ୍ରବାର ବିଜେପି ପକ୍ଷରୁ ୩ ଘଣ୍ଟିଆ ଦୋକାନ ବଜାର ବନ୍ଦ କରାଯାଇଥିଲା। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଦୋକାନ ସବୁକୁ ବନ୍ଦ କରାଯାଇଥିବା ବେଳେ ଛକରେ ଥିବା ନିଜର ୨୦ଟି ଦୋକାନ ବନ୍ଦ ନ କରିବାକୁ ସରପଞ୍ଚ ସଂପୃକ୍ତ ମାଲିକମାନଙ୍କୁ ତାଗିଦ କରିଥିଲେ। ଫଳରେ ଉକ୍ତ ଦୋକାନୀମାନେ ଦୋକାନ ଖୋଲିବାରେ ବିଜେପି କର୍ମୀମାନେ ପହଞ୍ଚି ସେଗୁଡ଼ିକୁ ମଧ୍ୟ ବନ୍ଦ କରିଥିବା ଜଣାପଡ଼ିଛି। ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ ବ୍ୟବସାୟୀ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପରେ ୯ଟାରେ ଦୋକାନ ବଜାର ଖୋଲିଥିଲା। ସୂଚନାଯୋଗ୍ୟ ଯେ ଗତ ୨୦ ତାରିଖ ସନ୍ଧ୍ୟାରେ ପାଇକମାଲ ସରପଞ୍ଚ ଶ୍ରୀ ସାହୁ ମାହାରପଡ଼ାରେ ସଂପୃକ୍ତ ବିଧବା ମହିଳାଙ୍କୁ ଅସଦାଚରଣ କରିଥିବା ନେଇ ଥାନା ଅଭିଯୋଗ ହୋଇଥିଲା। ଦଶ ଦିନ ବିତି ଯାଇଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

By amfnews

Related Post