Wed. Dec 25th, 2024

ବିଦେଶରେ ଓଡ଼ିଆ ପୁଅଙ୍କ ରେକର୍ଡ, କେନ୍ଦ୍ରାପଡା ଧୂମାତରୁ ବର୍ଲିନ ଯାତ୍ରା

By amfnews Oct 1, 2019 #Featured
135 Views

ସେପ୍ଟେମ୍ବର ୨୯ରେ ଜର୍ମାନୀର ବର୍ଲିନରେ ଆୟୋଜିତ ହୋଇଥିଲା ଅନ୍ତର୍ଜାତୀୟ ମାରାଥନ | ସାରା ବିଶ୍ୱର ପାଖାପାଖି ୪୫ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ | ତେବେ ଏହି ୪୫ ହଜାର ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ଓଡ଼ିଆ ପୁଅ ତଥା ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆ ରଶ୍ମୀକାନ୍ତ ନନ୍ଦ(୪୬) | ୪୨ କିଲୋମିଟରର ଏହି ମାରାଥନରେ ପାଖାପାଖି ୧୫୦ ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ | ପାଖାପାଖି ୩ ଲକ୍ଷ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଆବେଦନ କରିଥିଲେ | ତେବେ ୪୪ହଜାର ୦୬୫ ଜଣ ମାରାଥନକୁ ସମ୍ପୂର୍ଣ୍ଣ କରିଥିଲେ | ସେମାନଙ୍କ ମଧ୍ୟରେ ରଶ୍ମୀ ମଧ୍ୟ ଥିଲେ |

୪୨ କିଲୋମିଟରର ଏହି ଦୂରତାକୁ ରଶ୍ମୀ ୪ ଘଣ୍ଟା ୩୭ ମିନିଟ ୪୪ ସେକେଣ୍ଡରେ ସମ୍ପୂର୍ଣ୍ଣ କରିଥିଲେ | ତେବେ ରଶ୍ମୀଙ୍କର ଏହା ପ୍ରଥମ ମାରାଥନ ନଥିଲା ଏହା ପୂର୍ବରୁ ୧୭ଟି ୪୨ କିଲୋମିଟରର ମାରାଥନରେ ସେ ଭାଗ ନେଇଛନ୍ତି | ଆଗାମୀ ଅକ୍ଟୋବର ୧୩ ତାରିଖରେ ରଶ୍ମୀ ଚିକାଗୋରେ ହେବାକୁ ଥିବା ମାରାଥନରେ ମଧ୍ୟ ଭାଗ ନେବେ | ରଶ୍ମୀ ଆମ ପ୍ରତିନିଧିଙ୍କୁ କହିଥିଲେ ଯେ ପିଲାବେଳେ ତାଙ୍କର ଶ୍ୱାସ ସମସ୍ୟା ଥିଲା | ପିଲାବେଳେ ଶ୍ୱାସ ସମସ୍ୟା ଥିବାରୁ ୧୦୦ ମିଟର ଦଉଡିବାକୁ ସକ୍ଷମ ନଥିଲେ ।

 

ଅନେକ ବର୍ଷର ସନ୍ତରଣ, ଯୋଗାଭ୍ୟାସ ପରେ ଏବେ ବିନା ବିରତିରେ ୪୨ କିମି ଦୌଡ଼ି ପାରୁଛନ୍ତି । ଏଠାରେ ସୂଚନା ଥାଉ କି ରଶ୍ମୀଙ୍କର ଘର କେନ୍ଦ୍ରାପଡ଼ାର ଧୂମାତ ପଞ୍ଚାୟତରେ ହୋଇଥିବାବେଳେ ରାଉରକେଲାର ଉଦିତନଗର ହାଇସ୍କୁଲରେ ସେ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ | ଏହାପରେ ଭୁବନେଶ୍ୱରର ସିଇଟିରେ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ଶିକ୍ଷା ସମାପ୍ତ ପରେ ହାଓଡ଼ାରେ ଥିବା ବେଙ୍ଗଲ ଇଂଜିନିୟରିଂ କଲେଜରେ ଏମଟେକ କରିଥିଲେ | ଏହାପରେ ସେ ଟିସିଏସରେ ଚାକିରି କରିଥିଲେ | ଏବେ ଲଣ୍ଡନରେ ରଶ୍ମୀ ସପରିବାର ରହୁଛନ୍ତି |

By amfnews

Related Post