Thu. Jan 23rd, 2025

ବିଦେଶକୁ ଯାଉଛି ପ୍ରଣତିଙ୍କ ଆରିସା ପିଠା

By amfnews Sep 29, 2019 #Featured
282 Views

ନୂଆପଡ଼ା   :   ଦିନକୁ ଦିନ ଆମ ପାରମ୍ପରିକ ଓଡ଼ିଆ ଖାଦ୍ୟ ଲୋପ ପାଇ ଯାଉଥିବା ବେଳେ ଆମେ ବିଦେଶୀ ଖାଦ୍ୟକୁ ବେଶ୍ ପସନ୍ଦ କରୁଛୁ। ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଜଣେ ଗୃହିଣୀଙ୍କ ହାତ ତିଆରି ‘ଆରିସା’ ପିଠାକୁ ଦେଶବିଦେଶର ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ସେ ହେଉଛନ୍ତି ଖଡ଼ିଆଳ ସହର ସ୍ଥିତ ବିଶୋଇ କଲୋନୀର ପ୍ରଣତି ବିଶୋଇ।

ପ୍ରଣତି ୭ ବର୍ଷ ହେବ ଆରିସା ପିଠା ବ୍ୟବସାୟ କରୁଛନ୍ତି। ଆଉ ତାଙ୍କ ହାତ ତିଆରି ଆରିସା ପିଠାର ବେଶ୍ ଚାହିଦା ବି ରହିଛି। ଲୋକଙ୍କ ପସନ୍ଦ ଅନୁସାରେ ସେ ଉଭୟ ଗୁଡ଼ ଓ ଚିନି ଆରିସା ତିଆରି କରନ୍ତି। ଲୋକଙ୍କ ଠାରୁ ଅର୍ଡର ନେଇ ସେ ଆରିସା କରନ୍ତି। ତା’ସହିତ ତାଙ୍କ ସ୍ୱାମୀଙ୍କ ଦୋକାନ ପାଇଁ ମଧ୍ୟ ସେ ଆରିସା ତିଆରି କରନ୍ତି। ମାସକୁ ସେ ୧୦ ହଜାରରୁ ଅଧିକ ଟଙ୍କା ଲାଭ କରନ୍ତି। କେବଳ ଓଡ଼ିଶାରେ ନୁହେଁ, ଦେଶର ବିଭିନ୍ନ ସ୍ଥାନ ସହିତ ଆମେରିକା, ଦୁବାଇ ଓ ରୁଷିଆରେ ମଧ୍ୟ ତାଙ୍କ ପିଠାର ଚାହିଦା ରହିଛି। ତାଙ୍କଠାରୁ ଆରିସା ପିଠା କିଣି ବାହାରକୁ ପଠାଉଥିବା ଲୋକେ ଏହା କହିଛନ୍ତି।

ପ୍ରଣତି କହିଛନ୍ତି, “ମୋ ହାତ ତିଆରି ପିଠାକୁ ସମସ୍ତେ ପସନ୍ଦ କଲେ। ତେଣୁ ମୁଁ ପିଠା ତିଆରି କରିବା ଛାଡ଼ି ପାରିଲି ନାହିଁ। ମୁଁ ସବୁ ଦିନେ ପିଠା ତିଆରି କରୁଛି। ଏହି ପିଠା ବାହାରକୁ ମଧ୍ୟ ଯାଉଛି। ଆମେରିକା, ରୁଷିଆ ଓ ଦୁବାଇକୁ ବି ଯାଉଛି।”

ଖଡ଼ିଆଳ ଲୋକ ସଂସ୍କୃତି ଗବେଷିକା ଜାହ୍ନବୀ ଯୋଶୀ କହିଛନ୍ତି, “ପ୍ରଣତିଙ୍କ ଆରିସା ପିଠାର ବେଶ୍ ଚାହିଦା ରହିଛି। ତାଙ୍କ ପିଠାକୁ ସମସ୍ତେ ପସନ୍ଦ କରନ୍ତି। ପରିଷ୍କାର ପରିଚ୍ଛନ୍ନ ସହ ସେ ଆରିସା ପିଠା ତିଆରି କରନ୍ତି। ଏହି ପିଠା ବହୁ ଦୂରକୁ ଯାଉଛି ଓ ସୁଲଭ ମୂଲ୍ୟରେ ମଧ୍ୟ ମିଳୁଛି।”

ଆଗକୁ ଦଶହରା ଥିବାରୁ ଅନେକ ଲୋକ ପ୍ରଣତିଙ୍କୁ ଆରିସା ପିଠା ପାଇଁ ଅର୍ଡର ଦେଇଛନ୍ତି। ତେଣୁ ଏବେ ତାଙ୍କୁ ଫୁରସତ୍ ନାହିଁ। ନିର୍ଦ୍ଧାରିତ ସମୟରେ ଗ୍ରାହକଙ୍କୁ ଆରିସା ଦେବାକୁ ସେ ଲାଗିପଡ଼ିଛନ୍ତି।

By amfnews

Related Post