Sun. Mar 8th, 2026

ବିଟ୍‌କଏନ୍‌ ଦେବାକୁ କହି ଲୋକଙ୍କୁ ଠକୁଥିଲା, ଧରାପଡ଼ିଲା

180 Views

ଖୋର୍ଦ୍ଧା : ଖୋର୍ଦ୍ଧାରେ ବିଟ୍‌କଏନ କାରବାର ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ଜଟଣୀ ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାଁ ମନୋରଞ୍ଜନ ବିଶ୍ୱାଳ। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବଡ଼ତୋଟା ବେଲପଡ଼ା ଗାଁରେ।

ସୂଚନା ଅନୁସାରେ, ବିଟ୍‌କଏନ ଦେବାକୁ କହି ଗ୍ରାହକଙ୍କଠାରୁ ପ୍ରଥମେ ମନୋରଞ୍ଜନ ଲକ୍ଷେ ଟଙ୍କା ଲେଖାଏଁ ନେଉଥିଲା। ଏହି ଟଙ୍କା ବର୍ଷକରେ ୩ ଗୁଣା ହେବାର ପ୍ରତିଶ୍ରୁତି ଦେଉଥିଲା। ପରେ ସମ୍ପୃକ୍ତ ଗ୍ରାହକଙ୍କୁ ଏକ ଆପ୍ ଡାଉନଲୋଡ କରିବାକୁ କହୁଥିଲା। ଆପ୍ ଡାଉନଲୋଡ କରିବା ପରେ ୫ରୁ ୬ ଦିନ ପର୍ଯ୍ୟନ୍ତ କିଛି ଟଙ୍କା ଗ୍ରାହକଙ୍କୁ ଫେରାଇ ଦେଉଥିଲା। ତା’ପରେ ଏହି ଆପ୍‌ଟି ଡିଲଟ୍ ହେଇଯାଉଥିଲ। ଏହାପରେ ଅବଶିଷ୍ଟ ଟଙ୍କାକୁ ଧରି ମନୋରଞ୍ଜନ ଫେରାର୍ ହେଇଯାଉଥିଲା। ଏପରି ଉପାୟରେ ମନୋରଞ୍ଜନ ପ୍ରାୟ ୫୦ କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଏହି ଠକେଇର ମାଷ୍ଟର ମାଇଣ୍ଡ ଥିଲା ସେ ନିଜେ।

ଏନେଇ କିଛି ଲୋକ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଏଥିସହ ଆଉ କିଛି ଲୋକ କ୍ରାଇମବ୍ରାଞ୍ଚରେ ମଧ୍ୟ ଅଭିଯୋଗ କରିଥିଲେ। ଏହାପରେ ମନୋରଞ୍ଜନକୁ ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଖୋଜୁଥିଲା। ଗତକାଲି କିଛି ଲୋକ ମନୋରଞ୍ଜନକୁ ଦେଖି ତାକୁ କାବୁ କରି ଜଟଣୀ ଥାନାକୁ ହସ୍ତାନ୍ତର କରିଥିଲେ। ଏହାପରେ ପୁଲିସ୍ ତାକୁ ଗିରଫ କରି କ୍ରାଇମବ୍ରାଞ୍ଚକୁ ଖବର ଦେଇଥିଲା।

ଗତକାଲି ରାତିରେ ହିଁ କ୍ରାଇମବ୍ରାଞ୍ଚ ଓ ଜଟଣୀ ପୁଲିସ୍ ମିଳିତ ଭାବେ ତାଙ୍କ ଘର ବେଲପଡ଼ାରେ ଚଢ଼ଉ କରିଥିଲେ। ସେଠାରୁ ଏକ ଲାପ୍‌ଟପ୍ ଜବତ କରାଯାଇଛି। ଏଥିସହ କିଛି ଦସ୍ତାବିଜ୍‌ ମଧ୍ୟ ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ମନୋରଞ୍ଜନଙ୍କୁ ଜେରା କରିବା ସହିତ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରିବ ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣାରେ କେବଳ ମନୋରଞ୍ଜନ ସଂପୃକ୍ତ ଅଛି ନା ଆଉ କେହି ସଂପୃକ୍ତ ଅଛନ୍ତି ସେନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି। କେବଳ ଖୋର୍ଦ୍ଧା ଜିଲ୍ଲା ନୁହେଁ, ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ନେଟ୍‌ୱାର୍କ ଲମ୍ୱିଥାଇ ପାରେ ବୋଲି ଅନୁମାନ କରାଯାଉଛି।

By amfnews

Related Post