Thu. Jun 12th, 2025

ବିଜେପିର ପ୍ରତିଶ୍ରୁତି ସମାବେଶରେ ଘୋଷଣା : ରୋଜଗାର ଓ ପକ୍କା ଘର ପ୍ରତିଶ୍ରୁତି ପୂରଣ ଲାଗି ଫର୍ମ ବାଣ୍ଟିବେ ଦଳୀୟ କର୍ମୀ

By amfnews Feb 9, 2019 #Featured
211 Views

ଭୁବନେଶ୍ବର: ଶନିବାର ଭୁବନେଶ୍ବରରେ ଆୟୋଜିତ ହୋଇଛି ବିଜେପିର ପ୍ରତିଶ୍ରୁତି ସମାବେଶ । ଆଜିଠାରୁ ୩ ମାସ ଧରି ରାଜ୍ୟର ପ୍ରତ୍ୟେକ ଗାଁରେ ବିଜେପି କର୍ମୀମାନେ ପ୍ରତିଶ୍ରୁତି ଗେରୁଆ ଫର୍ମ ବାଣ୍ଠିବେ । ପ୍ରତିଶ୍ରୁତି ସମାବେଶରେ ହୋଇଥିବା ଘୋଷଣା ଅନୁଯାୟୀ ଦଳ ପକ୍ଷରୁ ୨ଟି ଫର୍ମ ବଂଟାଯିବ । ପ୍ରଥମଟି ରୋଜଗାର ପ୍ରତିଶ୍ରୁତି ଫର୍ମ ହୋଇଥିବାବେଳେ ଦ୍ୱିତୀୟଟି ପକ୍କା ଘର ପ୍ରତିଶ୍ରୁତି ଫର୍ମ । ଲୋକମାନେ ନିଜର ଆବଶ୍ୟକ ଅନୁଯାୟୀ ଏହି ଫର୍ମ ଭରିବେ ଏବଂ କ୍ଷମତାକୁ ଆସିଲେ ଏହି ସବୁ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେପି ସରକାରକୁ ଆସିଲେ ରାଜ୍ୟର କ’ଣ ଉନ୍ନତି ହେବ ସେ ନେଇ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ରାଜ୍ୟରେ ଏବେ ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଥିବା ବେକାରୀ ସମସ୍ୟାକୁ କେବଳ ବିଜେପି ସରକାର ହିଁ ଦୂର କରି ପାରିବ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦେଶର ଗରିବଙ୍କ ପାଇଁ ଅନେକ ଯୋଜନା କରାଯାଇଛି । ଗରିବ ମହିଳାଙ୍କୁ ମାଗଣା ଗ୍ୟାସ୍ ଯୋଗାଇ ଦିଆଯାଇଛି ।

ସେହିଭଳି ଗତବର୍ଷ ବିଧାନସଭାରେ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୭ ଲକ୍ଷ ୪୮ ହଜାର ପରିବାରର ମୁଣ୍ଡ ଉପରେ ଏବେ ବି ଛାତ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ୧୯ ବର୍ଷ ଶାସନ କରିଥିଲେ ମଧ୍ୟ ଆଜି ଯାଏ ଲୋକଙ୍କ ପାଖରେ ଛାତ ଘର ଖଣ୍ଡିଏ ନାହିଁ । ଏହା ରାଜ୍ୟ ସରକାରଙ୍କ ବଡ଼ ବିଫଳତା ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅନେକ ଲୋକାଭିମୁଖି ଯୋଜନା କରି ପ୍ରଧାନ ସେବକ ଭାବେ ଲୋକଙ୍କ ସେବା କରିବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଓଡ଼ିଶାରୁ ଏହି ଭ୍ରଷ୍ଟ ସରକାରକୁ ବିଦା କରି ବିଜେପିକୁ ସରକାର ଗଠନ କରିବା ପାଇଁ ସୁଯୋଗ ଦେବାକୁ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

By amfnews

Related Post