ରାଉରକେଲା, ୮/୭: ବିକାଶକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଜିଲା କଂଗ୍ରେସ ସଭାପତି ରବି ରାୟ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଜଣେ ଲଢୁଆ ଓ ସଚେତନ ଯୁବକଙ୍କୁ ନିଜ ଦଳର ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଭେଟ କରାଇ ନ ଦେବା ଜିଲାବାସୀଙ୍କ ପ୍ରତି ତାଙ୍କର ଭଲପାଇବାକୁ ପଦାରେ ପକାଇ ଦେଇଛି ।
ସେହିଭଳି ଆଇଜିଏଚ୍ ଏବଂ ବ୍ରାହ୍ମଣୀ ସେତୁ ନିର୍ମାଣ ପ୍ରସଙ୍ଗରେ କେବଳ ଜୁଏଲ ଓରାମ ନୁହଁନ୍ତି ବରଂ ତାଙ୍କ ଦଳର ନେତାମାନଙ୍କର ମନ୍ତବ୍ୟରେ କୌଣସି ତାଳମେଳ ରହୁନାହିଁ । ଲୋକଙ୍କୁ କେବଳ ପ୍ରତିଶ୍ରୁତି ଦେଇ ୪ ବର୍ଷ ଭୂୟାଁ ବୁଲାଉଛନ୍ତି । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଭେଳିକି ସୃଷ୍ଟି କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ସୁନ୍ଦରଗଡରେ ସାଂସଦ ଥିବାବେଳେ ସମସ୍ତ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେଇ ବିକାଶକୁ ତ୍ୱରାନ୍ୱିତ କରିଥିଲେ ।
କିନ୍ତୁ ଏଠାରୁ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ହୋଇମଧ୍ୟ ଶ୍ରୀ ଓରାମ କେବଳ ପ୍ରଚାରସର୍ବସ୍ୱ ରାଜନୀତିରେ ମାତିଛନ୍ତି । ସମୀକ୍ଷା ନାମରେ ପ୍ରହସନ କରିବା ବ୍ୟତୀତ ବିକାଶ ପ୍ରତି ସେ ଆଦୌ ଦୃଷ୍ଟି ଦେଉନାହାନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଜିଲାର ପ୍ରତିନିଧିତ୍ୱ କରି ଦେଶରେ ଆଦିବାସୀ ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବାବେଳେ ଆଦିବାସୀଙ୍କ ବିକାଶ ତାଙ୍କ ସମୟରେ କିପରି ହୋଇଛି ତାହା ସମସ୍ତଙ୍କୁ ଜଣା । ଆଗାମୀ ଦିନରେ ସୁନ୍ଦରଗଡ ଜିଲାପାସୀ ଏହାର ଉପଯୁକ୍ତ ଜବାବ ଦେବେ ବୋଲି ଜିଲା ସଭାପତି ଶ୍ରୀ ରାୟ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।