Thu. May 22nd, 2025

ବିଏମ୍‌ସି ରକ୍ତଭଣ୍ଡାରରେ ରକ୍ତ ଅଭାବ: କରୋନା ପାଇଁ ଆସୁନାହାନ୍ତି ରକ୍ତଦାତା

By amfnews Apr 3, 2020 #Featured
109 Views

ପୁରୁଣା ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରକ୍ତଭଣ୍ଡାର ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି। ଅବସ୍ଥା ଏପରି ହୋଇଛି ଯେ ଏବେ ରକ୍ତଭଣ୍ଡାର ଗୁଡ଼ିକରେ ହାତଗଣତି କୋ ତୋଟି ୟୁନିଟ୍‌ ରକ୍ତ ମହଜୁଦ୍‌ ରହିଛି। ବିଏମ୍‌ସି ହସ୍ପିଟାଲର ରକ୍ତଭଣ୍ଡାର ମଧ୍ୟ ଏହି ସଂକଟରୁ ବାଦ୍‌ ପଡ଼ିନି। ବର୍ତ୍ତମାନ ଏହି ରକ୍ତଭଣ୍ଡାରରେ ମାତ୍ର ୩୦ ୟୁନିଟ୍‌ ରକ୍ତ ମହଜୁଦ୍‌ ରହିଛି। ତେବେ ତାହା କେବଳ ଜରୁରୀ ସେବା ପାଇଁ ରଖାଯାଇଛି। ଯେଉଁ ରୋଗୀ ସଂକଟାପନ୍ନ ଅବସ୍ଥାରେ ରହିଛନ୍ତି, ତାଙ୍କୁ ବିନା ରକ୍ତଦାତାରେ ରକ୍ତ ଯୋଗାଇ ଦିଆଯାଇଛି। ଅନ୍ୟ ଲୋକମାନଙ୍କୁ ରକ୍ତଦାତା ସାଙ୍ଗରେ ଆଣି ଆସିବାକୁ କୁହାଯାଉଛି। ସୂଚନାଯୋଗ୍ୟ, ଥାଲାସେମିଆ ଓ ରକ୍ତହୀନତା ଭଳି ୧୦ରୁ ୧୨ଜଣ ରୋଗୀ ପ୍ରତିଦିନ ରକ୍ତ ନେବାକୁ ଏହି ରକ୍ତଭଣ୍ଡାରକୁ ଆସିଥାନ୍ତି। ଏବେ ସେମାନଙ୍କୁ ରକ୍ତଦାତା ସାଙ୍ଗରେ ଆଣିବାକୁ ହସ୍ପିଟାଲ ତରଫରୁ କୁହାଯାଉଛି। ଆଜି ଦୁଇଜଣ ଥାଲାସେମିଆ ରୋଗୀ ନିଜ ସମ୍ପର୍କୀୟଙ୍କ ରକ୍ତ ଦାନ କରି ରକ୍ତ ବଦଳରେ ରକ୍ତ ନେଇଛନ୍ତି।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଏବେ ଲୋକଙ୍କ ମନରେ ଏକ ଅଜଣା ଭୟ ବସା ବାନ୍ଧିଛି। ଫଳରେ ଲୋକମାନେ ରକ୍ତ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଗତକାଲି ଏହାର ଏକ ନଜିର ଦେଖିବାକୁ ମିଳିଥିଲା। ବିଏମ୍‌ସି ପକ୍ଷରୁ ମଞ୍ଚେଶ୍ବରସ୍ଥିତ ଏକ କଲେଜରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲେ ହେଁ ଗୋଟିଏ ହେଲେ ୟୁନିଟ୍‌ ସଂଗ୍ରହ ହୋଇପାରିନଥିଲା। ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତଦାତା ଅପେକ୍ଷାରେ ରହି ରହି ଶେଷରେ ନିରାଶ ହୋଇ ଫେରିଥିଲେ। ତେବେ ଏ ସଂପର୍କ‌ରେ ଏମ୍‌ସି ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡା. ଗଣେଶ ପ୍ରସାଦ ଦାଶ କହିଛନ୍ତି ଯେ ରକ୍ତଭଣ୍ଡାରରେ କିମ୍ବା ରକ୍ତଦାନ ଶିବିରରେ ଜଣେ ଅତି ସହଜରେ ରକ୍ତଦାନ କରିପାରିବ। ଯେଉଁ ବ୍ୟକ୍ତି ବିଦେଶରୁ ଫେରି ନଥିବ କିମ୍ବା ଅନ୍ୟ ରାଜ୍ୟରୁ ୨୮ ଦିନ ମଧ୍ୟରେ ଫେରିନଥିବ, ସେ ରକ୍ତଦାନ କରିବାରେ କୌଣସି ପ୍ରତିବନ୍ଧକ ବା ଅସୁବିଧା ନାହିଁ। ସେହିପରି ଥଣ୍ଡା, କାଶ, ଜ୍ବର, ନିଶ୍ବାସ ନେବାରେ କଷ୍ଟ ହେଉନଥିବା ଭଳି କରୋନାର ଲକ୍ଷଣ ନଥିବା ଏବଂ ହୃଦରୋଗ, ଡାଇବେଟିସ୍‌ ପରି ରୋଗ ନଥିବା ବ୍ୟକ୍ତି ରକ୍ତଦାନ କରିପାରିବେ। ରାଜ୍ୟ ରକ୍ତ ନିରାପତ୍ତା ନିର୍ଦ୍ଦେଶକଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସମ୍ପୃକ୍ତ ରକ୍ତଭଣ୍ଡାର ଅଧିକାରୀ ପରୀକ୍ଷା କରିବା ପରେ ଜଣେ ରକ୍ତଦାନ କରିପାରିବ। ସୂଚନାଯୋଗ୍ୟ, ଲକ୍‌ଡାଉନ୍ ଜାରି ହୋଇଥିଲେ ହେଁ ରକ୍ତ ନେବା ରୋଗୀଙ୍କ ସହ ରକ୍ତଦାତା ହସ୍ପିଟାଲ ଆସିବା ଲାଗି କର୍ତ୍ତୃପକ୍ଷ ସେମାନଙ୍କ ଲାଗି ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା କରିଛନ୍ତି।

By amfnews

Related Post