Thu. Dec 26th, 2024

ବାରିପଦାରେ ପଶିଲେ ୭୦ ପଶ୍ଚିମବଙ୍ଗ ହାତୀ, ଆଠଗଡ଼ରେ ସୋଲାର ବାଡ଼ ଭାଙ୍ଗିଲେ ହାତୀପଲ

By amfnews Nov 10, 2018 #Featured
173 Views

ମୟୁରଭଞ୍ଜ, ନଭେମ୍ବର ୧୦: ପ୍ରଥମେ ବାଲେଶ୍ୱର ପରେ ଏବେ ମୟୁରଭଞ୍ଜ ମୁହାଁ ହୋଇଛନ୍ତି ପଶ୍ଚିମବଙ୍ଗ ହାତୀ । ବାରିପଦା ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜରେ ଝାଡ଼ଖଣ୍ଡୀ ହାତୀ ଆତଙ୍କ ସୃଷ୍ଟି କରିଛନ୍ତି । ଅନ୍ୟପକ୍ଷରେ ଆଠଗଡ଼ ଖୁଣ୍ଟୁଣୀ ରେଂଜରେ ମଧ୍ୟ ହାତୀ ଉପଦ୍ରବ କରିଛନ୍ତି । ସୋଲାର ବାଡ଼ ଭାଙ୍ଗି ହାତୀ ପଲ ରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ବାରିପଦା ରାସଗୋବିନ୍ଦପୁର ରେଂଜ ଅନ୍ତର୍ଗତ ଚିତ୍ରଡ଼ା ଓ ବାଘଝରଣରେ ପ୍ରାୟ ୭୦ଟି ହାତୀ ପଲ ଉପଦ୍ରବ କରୁଛନ୍ତି । ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଏକକାଳୀନ ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି । ଏହା ସହିତ ସରାଶୋଳାରେ ନାରାୟଣ ଟୁଡୁ ନାମକ ଜଣେ ଚାଷୀ ଆହତ ହୋଇଛନ୍ତି । ଧାନ ଜଗିବାକୁ ଯାଇଥିବାବେଳେ ରାତିରେ ହାତୀ ଆକ୍ରମଣର ଶୀକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ବିନ ବିଭାଗ ପହଁଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି ।

ସେହିପରି କଟକ ଆଠଗଡ଼ ଖୁଣ୍ଟୁଣୀ ରେଂଜ ବଉଳ ଓ ସାରକୋଳି ରାସ୍ତା ଉପରକୁ ହାତୀ ପଲ ଚାଲି ଆସିଛନ୍ତି । ହାତୀମାନେ ରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି । ଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ ବିଭାଗ ଟିମ୍‌  ପହଁଚି ଘଉଡ଼ାଇବାକୁ ଉଦ୍ୟମ କରିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳେ ବାଲେଶ୍ୱର ନୀଳଗିରି ଅଂଚଳକୁ ୩୦ରୁ ଉର୍ଦ୍ଧ୍ୱ ହାତୀ ପଲ ପଶି ଆସିଥିଲେ ଏବଂ ବ୍ୟାପକ ଫସଲ ନଷ୍ଟ କରିଥିଲେ ।

By amfnews

Related Post