Tue. Dec 24th, 2024

ବାଞ୍ଜିକଛାର ଗ୍ରାମରେ ପ୍ରଶାସନର ମେରୀରାୟ ଶାସନ ଓ ପୁଲିସର ଦମନଲୀଳାକୁ ବରଦାସ୍ତ କରାଯିବ ନାହିଁ

rklsanchar@gmail.com' By J.N. Pradhan Jul 2, 2018 #Featured
246 Views

ରାଉରକେଲା, ୨/୭: ସମ୍ପ୍ରତି ଲେଫ୍ରିପଡା ବ୍ଲକ୍ର ସୁମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିକଛାର ଗ୍ରାମ ଦେଇ ଓଜିପିଟିଏଲ୍ର ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାୱାର ନିର୍ମାଣକୁ ନେଇ ପ୍ରଶାସନ ଓ ପୁଲିସ୍ର ବର୍ବରତାକୁ ତୀବ୍ର ନିନ୍ଦା କରାଯାଇଛି । ଏହି ଟାୱାର ୯୪,୬୫୬ ହେକ୍ଟର ପରିମିତ ଜଙ୍ଗଲ ଜମିରେ ନିର୍ମିତ ହେଉଛି । ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ୍ ୨୦୦୬ ଏବଂ ସଂଶୋଧିତ ନିୟମ ୨୦୧୨ ଅନୁସାରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସେମାନଙ୍କ ହକ୍ ଦାବି ପାଇଁ ବ୍ୟକ୍ତିଗତ ଅଧିକାର ଏବଂ ଗୋଷ୍ଠୀଗତ ଅଧିକାର ପାଇଁ ଆବେଦନ କରିପାରିବେ ।

ଉକ୍ତ ବ୍ୟବସ୍ଥା ଅନୁଯାୟୀ ୨୦୦୮ ମସିହାରେ ଉକ୍ତ ଗ୍ରାମର ୩୩ି ପରିବାର ବ୍ୟକ୍ତିଗତ ଜଙ୍ଗଲ ଶିରୋନାମା ପାଇଁ ଆବେଦନ କରିଥିଲେ । ତନ୍ମଧ୍ୟରୁ ୩୦ ପରିବାରକୁ ୨୦୦୯ ମସିହାରେ ଜଙ୍ଗଲ ଜମି ଶିରୋନାମା ମିଳିଥିଲା । ପୁଣି ୧୫.୬.୨୦୧୬ ମସିହାରେ ଉକ୍ତ ଗ୍ରାମବାସୀ ଏହି ଗ୍ରାମକୁ ରାଜସ୍ୱ ଗ୍ରାମ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଆଇନ୍ ଧାରା ୪ର ଉପଧାରା ୫ ଅନୁସାରେ ଉକ୍ତ ଅଞ୍ଚଳରେ କୌଣସି ଆଦିବାସୀ ବା ପାରମ୍ପରିକ ବନବାସୀ ସେମାନେ ଭୋଗଦଖଲ କରୁଥିବା ଜମିରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ । କିନ୍ତୁ ବର୍ତ୍ତମାନ ପୁଲିସ୍ ମୁତୟନ କରାଯାଇ ଉକ୍ତ ଅଞ୍ଚଳରେ ଟାୱାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ଏବଂ ଆତଙ୍କରାଜ ଖେଳାଇ ଦିଆଯାଇଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ।

ଦ୍ୱିତୀୟରେ ଜଙ୍ଗଲ ଅଧିକାର କାଇନ୍ ଧାରା ୩ (୧) (ଙ) ଅନୁସାରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାରର ବ୍ୟବସ୍ଥା ସତ୍ତେ୍ୱ ଏଯାବତ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ଓ ବର୍ତ୍ତମାନ ପୁଲିସ୍ ଚକ୍ରବ୍ୟୁହରେ ଲୋକଙ୍କୁ ଫଶାଯିବା କେତେଦୂର ସମୀଚିନ? ଜଙ୍ଗଲ ଅଧିକାର ଆଇନ୍ରେ ଥିବା ପେସା ଆଇନ୍ ଅନୁସାରେ କୌଣସି କାର୍ଯ୍ୟ ପାଇଁ ଗ୍ରାମସଭାର ପ୍ରୟୋଜନ ଥିବାବେଳେ କୌଣସି ଗ୍ରାମସଭା ନ କରି ଜୋର ଜବରଦସ୍ତ ଟାୱାର ନିର୍ମାଣ କରିବା କେତେଦୁର ଯୁକ୍ତିଯୁକ୍ତ । ପୁଣି କମ୍ପାନୀ ଆବେଦନ କରିଥିବା ଫର୍ମ-କରେ ଅତ୍ୟନ୍ତ ଚଞ୍ଚକତା କରାଯାଇ ଏହି ଅଞ୍ଚଳ ସିଡ୍ୟୁଲଡ ଏରିଆରେ ନୁହେଁ ବୋଲି ଦର୍ଶାଯିବା ଅତ୍ୟନ୍ତ ଲଜ୍ଜାର ବିଷୟ ।

ମୋଟାମୋଟି ଭାବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଦସ୍ତାବେଜ ଅସମ୍ପୂର୍ଣ୍ଣ ଥିବାବେଳେ ଏବଂ ପ୍ରୋସେସରେ ଥିବାବେଳେ କେଉଁ ଭଳି ବେନିୟମ ଭାବେ କାର୍ଯ୍ୟ ପୁଲିସ୍ ସହାୟତାରେ କରାଯାଉଛି? ପ୍ରକାଶଥାଉକି ଗ୍ରାମବାସୀ ନିଜ ଅଧିକାର ସାବ୍ୟସ୍ତ କରୁଥିବା ବେଳେ ପୁଲିସ୍କୁ ଦୁର୍ବ୍ୟବହାର ଆଳରେ ୩ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇ ଜେଲ୍ ହାଜତକୁ ପଠାଯିବା ଏବଂ ଆହୁରି ଅନେକଙ୍କୁ ଗିରଫ କରିବାର ଭୟ ଦେଖାଇ କମ୍ପାନୀର ହାତବାରିସୀ ସାଜିଛି ପୁଲିସ୍ । ପୁଲିସର ଏ ପ୍ରକାର ବର୍ବରତା ଦମନଲୀଳାକୁ ଆଦିବାସୀ ସମାଜ ଆଦୌ ବରଦାସ୍ତ କରିବ ନାହିଁ । ଏହି ପରିପ୍ରେକ୍ଷୀରେ ଯଥାଶୀଘ୍ର ଉକ୍ତ ଗ୍ରାମରୁ ପୁଲିସ୍ ହଟାଯାଉ ଓ ପ୍ରଶାସନ ବେନିୟମ କାର୍ଯ୍ୟରୁ କ୍ଷାନ୍ତ ରହୁ ଅନ୍ୟଥା ଏହା ବିରୋଧରେ ଦୁର୍ବାର ଆନ୍ଦୋଳନ କରାଯିବ ।

ସୁନ୍ଦରଗଡ ଜିଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲା, ଯାହା ସମ୍ବିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳର ଶାସନ ପଦ୍ଧତି ସାଧାରଣ ଅଞ୍ଚଳ ଠାରୁ ଭିନ୍ନ । ଏ ଅଞ୍ଚଳର ହର୍ତ୍ତା-କର୍ତ୍ତା ଦୈବବିଧାତା ହେଉଛନ୍ତି ମାନ୍ୟବର ରାଜ୍ୟପାଳ ଏବଂ ସେ ରାଷ୍ଟ୍ରପତିଙ୍କ ଠାରେ ଉତ୍ତରଦାୟୀ । ତେଣୁ ଏ ପ୍ରକାର ଦମନଲୀଳା ଏବଂ ଜନବିରୋଧି କାର୍ଯ୍ୟକଳାପ ଠାରୁ ସରକାର ଓ ପ୍ରଶାସନ କ୍ଷାନ୍ତ ରୁହନ୍ତୁ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜର୍ଜ ତିର୍କୀ, ପ୍ରଫୁଲ୍ଲ ମାଝି, ହାଲୁ ମୁଣ୍ଡାରୀ, ସିପ୍ରିଆନ କିଡୋ, ଅନୀଲ ଏକ୍କା, ଲେଥା ତିର୍କୀ, ଆଲବର୍ଟ କିଣ୍ଡୋ, ହାରାନ ବାଗେ, ତେଜକୁମାରୀ ମିଞ୍ଜ, ପ୍ରେମଧାନୀ ଡୁଙ୍ଗଡୁଙ୍ଗ, ସାବିନା ଟପ୍ପୋ, ସୁଧୀର କେର୍କେଟା, ଇମିଲ ଏକ୍କା, ଆଇବିସ ଏକ୍କା, ରବର୍ଟ ତିର୍କୀ, ଲରେନ୍ସ ଏକ୍କା, ଜର୍ଜ ଏକ୍କା, ଭାଲେରିଆନ ବାଖଲା, ଦିଲିପ ଲାହେରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post